ଲେଉଟିବ ଶୀତ: ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୬।୧(ବ୍ୟୁରୋ): ରାଜ୍ୟରେ ପୁଣି ଥରେ ବଢ଼ିବ ଶୀତ। ସୋମବାରଠାରୁ ଶୀତର ପ୍ରକୋପ ବୃଦ୍ଧି ପାଇବା ସହ ଘନ କୁହୁଡ଼ି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। କିଛିଦିନ ହେବ ରାଜ୍ୟରେ ବର୍ଷା ପାଗ ରହୁଥିବାରୁ ଶୀତର ପ୍ରଭାବ କମ୍‌ ଥିଲା। ତେବେ ବର୍ତ୍ତମାନ ବର୍ଷା ଛାଡ଼ି ଯାଇଥିବାବେଳେ ପ୍ରବଳ ଶୀତ ପୁଣି ଲେଉଟିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ସୋମବାରଠାରୁ ଆକାଶ ମେଘମୁକ୍ତ ରହିବ। ଫଳରେ ତାପମାତ୍ରା କମିବ ଏବଂ ଶୀତ ପ୍ରବଳ ହେବ। ତେବେ ଆସନ୍ତା ୨ ଦିନରେ ରାତିର ତାପମାତ୍ରା ୪ରୁ ୫ ଡିଗ୍ରୀ କମିବ ବୋଲି ପାଣିପାଗ କେନ୍ଦ୍ର ଆଶଙ୍କା କରିଛି। ଅନ୍ୟପଟେ ଘନ କୁହୁଡ଼ି ନେଇ ସୋମବାର ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଉତ୍ତର-ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ଜିଲା ଏବଂ ଅନୁଗୋଳ, ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀ ଆଦି ୭ ଜିଲାରେ ଘନ କୁହୁଡ଼ି ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। କୁହୁଡ଼ିର ପ୍ରଭାବ ଏତେ ରହିବ ଯେ, ୨୦୦ ମିଟର ଦୂର ପରେ ଆଉ କିଛି ଦୃଶ୍ୟମାନ ହେବ ନାହିଁ। ରବିବାର ଉତ୍ତର-ଉପକୂଳ ଓଡ଼ିଶା ସମେତ ଅନୁଗୋଳ, ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀରେ ଘନ କୁହୁଡ଼ି ହୋଇଥିଲା। ତେବେ ବୁଧବାର ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ନୂଆପଡ଼ା ଆଦି ୬ ଜିଲା ଏବଂ ଗୁରୁବାର ରାଜ୍ୟର କେତେକ ସ୍ଥାନରେ ସ୍ବଳ୍ପ ପରିମାଣର ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।