Categories: ଭଦ୍ରକ

ଲୁଣାପାଣି ଅଟକାଇବା ପାଇଁ ବନ୍ଧ ବାନ୍ଧିଲେ ଚାଷୀ

ଆରଡ଼ି, ୨୧।୧୧ (ଡି.ଏନ.ଏ.)-ପ୍ରଥମେ ମରୁଡ଼ିର ପଦଧ୍ୱନି। ପରେ ବାତ୍ୟାର ତାଣ୍ଡବ। ଯାହା କିଛି ଫସଲ ଥିଲା ଏବେ ବି ପାଣିରେ ଭାସୁଛି। ଖରିଫ ଫସଲ ନଷ୍ଟ ପରେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ। ଏବେ ଟାଇଚୁଙ୍ଗ ଚାଷ ଲାଗି ଆଗଭର ହେଲା ବେଳକୁ ଚାଷୀଙ୍କ ମନରେ ଲୁଣାପାଣି ଭୟ। ଗତବର୍ଷ ଲୁଣାପାଣି ମାଡ଼ି ଆସିବାରୁ ସମ୍ପୂର୍ଣ୍ଣ ଫସଲ ଉଜୁଡ଼ି ଯାଇଥିଲା। ଚଳିତବର୍ଷ ଯେପରି ଅନୁରୂପ ସ୍ଥିତି ସୃଷ୍ଟି ନ ହେବ ସେଥିପାଇଁ ପଦକ୍ଷେପ ନେଇଛନ୍ତି ଚାଷୀ। ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ତିହିଡ଼ି ବ୍ଲକର ତଳଦୁମୁକା ଗଁାରେ ପ୍ରାୟ ୬୦ ଜଣ ଚାଷୀ ଗଁା ନିକଟ ଦେଇ ବହି ଯାଇଥିବା ସାଳନ୍ଦୀ ଶାଖା ନଦୀ ହଂସଡିଅଁା ନଦୀ ପାର୍ଶ୍ୱରେ ବନ୍ଧ ବାନ୍ଧିଛନ୍ତି। ନିଜସ୍ବ ଖର୍ଚ୍ଚରେ ସେମାନେ ବାଉଁଶ କିଣିବା ସହ ମାଟି ହାଣି ବନ୍ଧ କରିଛନ୍ତି।
ପୂର୍ବରୁ ଏହି ନଦୀ ଉପରେ ସ୍ଲୁଇସ୍‌ଗେଟ୍‌ କରିବାକୁ ବିଧାୟକ, ମନ୍ତ୍ରୀ, ଜିଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଛଡ଼ା ଅନ୍ୟ କିଛି ମିଳିନି ବୋଲି ଚାଷୀମାନେ କହିଛନ୍ତି। ଏହି ନଦୀ ଉପରେ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କରାଗଲେ କେବଳ ତଳଦୁମୁକା ନୁହେଁ ଧାମନଗର ଓ ଚାନ୍ଦବାଲି ବ୍ଲକର ୧୫ ଖଣ୍ଡ ଗଁାର ଚାଷୀ ଏହାଦ୍ୱାରା ଉପକୃତ ହୋଇପାରନ୍ତେ ବୋଲି ସେମାନେ ପ୍ରକାଶ କରିଥିଲେ। ଏବେ ଯେଉଁ ବନ୍ଧ ବନ୍ଧା ଯାଉଛି ଅମାବାସ୍ୟା ଓ ପୂର୍ଣ୍ଣିମା ତିଥିରେ ସମୁଦ୍ରରେ ଉଚ୍ଚ ଜୁଆର ଉଠିଲେ ବନ୍ଧର ଉପରିଭାଗରେ ପଛାଲ କାଟି(ମାହାରା କରି) ନଦୀର ଅପରପାର୍ଶ୍ୱକୁ ପାଣି ଛଡ଼ାଯିବ। ଚାଷୀମାନେ ସେହି ଜଳକୁ ନିଜ ଚାଷ କିଆରିରେ ମଡ଼ାଇ ପାରିବେ। ଆଉ ଲୁଣା ଜୁଆର ଆସିଲେ ବନ୍ଧ ଥିବାରୁ ଫସଲର କୌଣସି କ୍ଷତି ହେବ ନାହିଁ ବୋଲି ସେମାନେ ସୂଚନା ଦେଇଛନ୍ତି। ତେବେ ଏଠାରେ ଏକ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କରାଯିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ଚଳିତବର୍ଷ ସେମାନଙ୍କ ଦାବିକୁ ଉପେକ୍ଷା କରାଗଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି।