ଲୁଣର କୃତ୍ରିିମ ଅଭାବ ଗୁଜବ ସୃଷ୍ଟି କରି ଖାଉଟୀଙ୍କୁ ଲୁଟ୍‌ : ହୋଲସେଲରଙ୍କ ଦୋକାନରେ ଚଢ଼ାଉ

ବଲାଙ୍ଗୀର ଅଫିସ/ସଇଁତଲା,୧୪ା୫(ଡି.ଏନ୍‌.ଏ.)-କରୋନା ମହାମାରୀ ସମୟରେ ପ୍ରତ୍ୟେକ ମଣିଷ ଅନ୍ୟକୁ ସହୃଦୟତା ଦେଖାଇବାକୁ ଅନୁରୋଧ କରୁଥିଲେ ମଧ୍ୟ କେତେକ ବ୍ୟବସାୟୀ ଖାଉଟୀଙ୍କୁ ଲୁଟ୍‌ କରିବାକୁ ପଛାଉ ନାହାନ୍ତି ା ବଲାଙ୍ଗୀର ଜିଲା ସଇଁତଲା ଓ ଟିଟିଲାଗଡରେ କେତେକ ବ୍ୟବସାୟୀ ଲୁଣର କୃତ୍ରିିମ ଅଭାବ ଗୁଜବ ସୃଷ୍ଟି କରି ଖାଉଟୀଙ୍କୁ ଚଢ଼ା ଦରରେ ବିକ୍ରି କରି ଲୁଟ୍‌ କରୁଥିବା ଅଭିଯୋଗ ହୋଇଛି ା ସଇଁତଲାରେ କେତେକ ଖାଉଟୀ ସରପଞ୍ଚ ଭୀମସେନ ସ୍ବାଇଁଙ୍କ ନିକଟରେ ନିର୍ଦ୍ଦିଷ୍ଟ ଅଭିଯୋଗ କରିଥିଲେ ା ଅଭିଯୋଗକୁ ଭିତ୍ତିକରି ଗୁରୁବାର ସକାଳୁ ସରପଞ୍ଚ ସ୍ବାଇଁ, ସଇଁତଲା ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗ, ଥାନା ଅଧିକାରୀ ବାରିଣୀ ଦାସ ସଇଁତଲା ହାଟପଦା ଦୁର୍ଗାମଣ୍ଡପ ନିକଟ ଆଳୁ, ପିଆଜ, ନଡ଼ିଆ ଓ ଲୁଣ ହୋଲ୍‌ସେଲର ହୃଷୀକେଶ ସାହୁଙ୍କ ଗୋଦାମରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ସେଠାରେ ଚଢ଼ା ଦରରେ ଲୁଣ ବିକ୍ରି ହେଉଥିବା ଧରାପଡିଥିଲା । ଏହାପରେ ଅଧିକାରୀମାନେ ହୋଲସେଲରଙ୍କ ଷ୍ଟକ୍‌ ଯାଞ୍ଚ କରିଥିଲେ ା ହୋଲସେଲର ୧୨୨୦ ବସ୍ତା ଲୁଣର ହିସାବ ଦେଇପାରି ନ ଥିଲେ ା ଲୁଣ ବସ୍ତା ୧୭୦ ଟଙ୍କାରେ ବିକ୍ରି କରିବା ପରିବର୍ତ୍ତେ ୩୫୦ ଟଙ୍କାରେ ସେ ବିକ୍ରି କରିଥିବା ଧରାପଡିଥିଲା ା ଏହାପରେ ସମ୍ପୃକ୍ତ ହୋଲସେଲରଙ୍କୁ ୨୭ହଜାର ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ା ଏହି ଟଙ୍କାରୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୧୧ ହଜାର, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୧ହଜାର ଓ ଜରିମାନା ବାବଦକୁ ୫ ହଜାର ଟଙ୍କା ଅନ୍ତର୍ଭୁକ୍ତ। ଏଭଳି ବେଆଇନ୍‌ କାମ ଆଗକୁ ନ କରିବାକୁ ହୋଲସେଲରଙ୍କୁ ତାଗିଦ୍‌ କରାଯାଇଥିଲା ା ଟିଟିଲାଗଡରେ ମଧ୍ୟ ଅନୁରୂପ ଭାବେ ବ୍ୟବସାୟୀମାନେ ଖାଉଟୀଙ୍କୁ ଚଢ଼ା ଦରରେ ଲୁଣ ବିକ୍ରି କରୁଥିବା ଅଭିଯୋଗ ହୋଇଛି ା