ଲୁଟ୍‌ ଉଦ୍ୟମ କରି ମାଡ଼ ଖାଇଲେ ଯୁବକ

ପୁରୀ ଅଫିସ,୧୬ା୧ : ଜଣେ ମହିଳାଙ୍କ ଭ୍ୟାନିଟି ବ୍ୟାଗ ଝାମ୍ପି ଫେରାର ହୋଇଯିବାକୁ ଉଦ୍ୟମବେଳେ ଧରାପଡି ନିର୍ଧୂମ ଛେଚା ଖାଇଲେ ଯୁବକ। ସ୍ଥାନୀୟ ଲୋକେ ତାଙ୍କୁ ପୋଲିସକୁ ଜିମା ଦେଇଥିଲେ। କୁମ୍ଭାରପଡା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ସେ ବ୍ୟବହୃତ କରୁଥିବା ବାଇକ୍‌କୁ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଏକ ସ୍କୁଟିରେ ମା’ ପୁଅ ଗୁଣ୍ଡିଚା ମନ୍ଦିର ପଟୁ ମାଟିଆପଡା ଛକ ଆଡକୁ ଯାଉଥିଲେ। ଏହି ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ଜଣେ ଯୁବକ ବାଇକ୍‌ରେ ଆସି ସ୍କୁଟିରେ ପଛରେ ବସିଥିବା ମହିଳାଙ୍କ ଭ୍ୟାନିଟି ବ୍ୟାଗକୁ ଝାମ୍ପି ଫେରାର ହୋଇଯାଉଥିବା ବେଳେ ମହିଳା ପାଟି କରିଥିଲେ। ପାଟି ଶୁଣି ଆଗରେ ମନ୍ମମୟ ମିଶ୍ର ଓ ତାଙ୍କ ସାଥି ତାଙ୍କୁ କାବୁ କରିନେଇଥିଲେ। ଏହି ସମୟରେ ଲୋକ ରୁଣ୍ଡ ହୋଇ ସମ୍ପୃକ୍ତ ଯୁବକଙ୍କୁ ଉତ୍ତମ ମଧ୍ୟମ ଦେଇ ପୋଲିସ ନିକଟକୁ ନେଇଯାଇଥିଲେ।