ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ : ୩ ଗିରଫ

ଭୁବନେଶ୍ୱର,୧୪।୩ (ବ୍ୟୁରୋ): ଖଣ୍ଡଗିରି ଥାନା ପୋଲିସ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରି,ଏହି ଗ୍ୟାଙ୍ଗର ୩ଜଣଙ୍କୁ ଗିରଫ କରିଛି। ଗିରଫ ୩ ଅଭିଯୁକ୍ତ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ଅଞ୍ଚଳର ମିର୍ଜା ରଞ୍ଜନ ଓରଫ ଲାଲୁ, ଧିର ପାତ୍ର ଓରଫ ଧିର ଓ ସୁନୀଲ ଦାସ ଓରଫ କୁଜା। ଏବଂ ଏମାନଙ୍କ ସହିତ ସାମିଲ ଅଛନ୍ତି ଜଣେ ନାବାଳକ। ସେମାନଙ୍କ ନିକଟରୁ ୩୯ ହଜାର ଟଙ୍କା,ମୋବାଇଲ ଓ ୧୦ ଭରି ଓଜନର ସୁନା ରୁପା ଅଳଙ୍କାର ଜବତ କରିଛି। ଭରତପୁର ଅଞ୍ଚଳରେ ଏହି ଗ୍ୟାଙ୍ଗ, ଘରେ କେହି ନଥିବାର ସୁଯୋଗନେଇ ତାଲା ଭାଙ୍ଗି ସୁନା ଗହଣା ଓ ଟଙ୍କା ଲୁଟ କରିଥିଲେ। ସୂଚନା ମୁତାବକ ଭରତପୁର ସନ୍ତୋଷ ନଗର ଅଞ୍ଚଳରେ ପରିବାର ସହ ରୁହନ୍ତି ଯଯାତି କେଶରୀ । ଗତ ଫେବୃଆରୀ ୧୬ ତାରିଖରେ ଯଯାତି ଘର ତାଲା ପକାଇ ପରିବାର ଲେକାଙ୍କ ସହ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ। ୧୯ ତାରିଖରେ ସେ ଘରକୁ ଫେରିଲେ। ଫେରିଲାପରେ ଦେଖିଲେ ଘରର ତାଲା ଭଙ୍ଗାହୋଇଛି ଏବଂ ଘରୁ ୧୨ ଭରି ଓଜନର ସୁନା ,ରୂପା ଗହଣା,୪୦ ହଜାର ଟଙ୍କା ସମେତ ମୋବାଇଲ ଚୋରି ହୋଇଛି।ସେ ଥାନାରେ ଅଭିଯୋଗ କରିବାପରେ ପୋଲିସ ୧୩୬/୨୦ନମ୍ବରରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଚୋରି ମୋବାଇଲ ଫୋନର ଆଇଏମଇଆଇ ନମ୍ବରକୁ ଟ୍ରାକ କରି ପୋଲିସ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରିଛି। ଶୁକ୍ରବାର ୩ ଜଣ ଅଭିଯୁକ୍ତଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହୋବରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।