Categories: ରାଜ୍ୟ

ଲୁଚକାଳି ଖେଳୁଛି ମୌସୁମୀ: ବର୍ଷାକୁ ଅନାଇ ଚିନ୍ତାରେ ଚାଷୀ

ବିଞ୍ଝାରପୁର,୨୬|୬(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ୭୦ରୁ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକେ ଚାଷ ଉପରେ ନିର୍ଭର କରନ୍ତି। ପ୍ରତିବର୍ଷ ବ୍ଲକର ବିଭିନ୍ନ ରାଜସ୍ବ ମୌଜାରେ ପ୍ରାୟତଃ ୧୪ହଜାର ହେକ୍ଟର ଜମିରେ ଖରିଫ ଫସଲ ହୋଇଥାଏ। କିନ୍ତୁ ଅଧିକାଂଶ ଅଞ୍ଚଳରେ ଜଳସେଚନର ସୁବିଧା ହୋଇ ନ ଥିବାରୁ ଚାଷ ପାଇଁ ବର୍ଷା ଜଳ ଉପରେ ନିର୍ଭର କରିବାକୁ ପଡୁଛି। ଚଳିତ ବର୍ଷ ମୌସୁମୀଜନିତ ଭଲ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲା। ଏହାକୁ ଦୃଷ୍ଟିରେ ରଖି ବହୁ ଚାଷୀ ଚାଷ ପାଇଁ ମନ ବଳାଇଥିଲେ। ଏ ନେଇ ସମବାୟ ବିଭାଗ ନିକଟରୁ ବିହନ ମଧ୍ୟ କିଣି ସାରିଛନ୍ତି। ହେଲେ ଜୁ୍‌ନ୍‌ ଶେଷ ହେବାକୁ ବସିଥିଲେ ମଧ୍ୟ ମୌସୁମି ବର୍ଷା ହୋଇ ପାରି ନାହଁି। ସାଧାରଣତଃ ରଜପର୍ବ ପରେ ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିଥାଏ। ହେଲେ ଚଳିତ ବର୍ଷ ବର୍ଷା ଅଭାବରୁ ଅଧିକାଂଶ ଜମି ଚାଷ ହୋଇ ମଧ୍ୟ ପଡିଆ ପଡିଛି। ଅପରପକ୍ଷେ କେତେକ ଚାଷୀ କାଳବୈଶାଖୀ ଜନିତ ବର୍ଷା ପରେ ଜମିରେ ଧାନ ବୁଣିଥିଲାବେଳେ ତାହା ଏବେ ବର୍ଷା ଅଭାବରୁ ଭୂଇଁରୁ ଉଠି ପାରୁନାହିଁ। ଯଦି ଆସନ୍ତା ସପ୍ତାହ ମଧ୍ୟରେ ବର୍ଷା ନ ହୁଏ ତେବେ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ବହୁ ଚାଷୀ କହିଛନ୍ତି। ବର୍ତ୍ତମାନ ଧାନ ବୁଣା ରୁଆ ସମୟ ହୋଇଥିଲେ ମଧ୍ୟ ମୌସୁମୀ ନ ଆସିବା ନେଇ ଖରିଫ ଫସଲ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।