ଅମରପାଲି,୧୨ା୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମର ମୁନ୍ନା ମାହାଣା ଲିମକା ବୁକ ଅଫ ରେକଡର୍ସରେ ନିଜ ନାମକୁ ନାମିତ କରି ଜିଲା ପାଇଁ ଗୌରବ ଆଣିଛନ୍ତି। ମୁନ୍ନା ପେନସିଲ ମୁନରେ ଲାଗିଥିବା ଗ୍ରାଫାଇଟରେ ସୂକ୍ଷ୍ମ ଇଣ୍ଡିଆ ଗେଟର ନମୁନା ତିଆରି କରି ଏହି ସଫଳତା ହାସଲ କରିଛନ୍ତି। ସେ ଏହି ନମୁନାକୁ ଏପ୍ରିଲ ୨୬ ତାରିଖ ୨୦୨୫ ମସିହାରେ ନିର୍ମାଣ କରିଥିଲେ। ସେ ତିଆରି କରିଥିବା ସୂକ୍ଷ୍ମ ଇଣ୍ଡିଆ ଗେଟ ୪ ମିମି (୦.୧୫ ଇଞ୍ଚ) ଉଚ୍ଚତା ହୋଇଥିବା ବେଳେ ଏହାର ଚଉଡା ୨ ମିମି (୦.୦୭ ଇଞ୍ଚ)। ମୁନ୍ନାଙ୍କୁ ବୁଧବାର ଏହି ରେକର୍ଡ ହାସଲ କରିଥିବା ପ୍ରମାଣପତ୍ର ମିଳିଛି। ଏହି ରେକଡର୍ସ ହାସଲ କରିବା ପରେ ଆଗକୁ ଗିନଜ ବୁକ ଅଫ ରେକଡର୍ସ ହାସଲ କରିବା ପାଇଁ ଚେଷ୍ଟା କରିବେ ବୋଲି ମୁନ୍ନା ପ୍ରକାଶ କରିଛନ୍ତି। ପୂର୍ବରୁ ମୁନ୍ନା ତୁଳସୀ ମଞ୍ଜିରେ ୧୦ ଅବତାର ତିଆରି କରି ଇଣ୍ଡିଆ ବୁକ ଅଫ ରେକର୍ଡ ଓ ଏସିଆ ବୁକ ଅଫ ରେକର୍ଡରେ ନିଜ ନାମକୁ ସାମିଲ କରିଛନ୍ତି। ମୁନ୍ନା ପେଶାରେ ଜଣେ ସାଇକେଲ ମେକାନିକ। ମାତ୍ର ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିବା ଓ ସୂକ୍ଷ୍ମ, ବଡ଼ ମୂର୍ତ୍ତି କରିବା ତାଙ୍କର ନିଶା ବୋଲି ସେ କହିଛନ୍ତି। ସେ ମାଟି, ବାଲି, ପଥର, ଚାଉଳ, ବିରି, ମୁଗ ଆଦିରେ ସେ ବିଭିନ୍ନ ପ୍ରକାରର ସୂକ୍ଷ୍ମ ମୂର୍ତ୍ତି କରି ଚର୍ଚ୍ଚାରେ ରହିଥାନ୍ତି। ଏହା ସହିତ ପେନସିଲ ଆର୍ଟରେ ସେ ଅନେକ ସୁନ୍ଦର ଚିତ୍ର କରି ଅଞ୍ଚଳରେ ପ୍ରଶଂସା ପାଇଥାନ୍ତି। ପରିବାରରେ ତାଙ୍କ ସ୍ତ୍ରୀ ମୀତା ଓ ଏକ ଶିଶୁ କନ୍ୟା ଅଛନ୍ତି। ଏସବୁ କରିବା ପାଇଁ ତାଙ୍କ ସ୍ତ୍ରୀ ତାଙ୍କୁ ସବୁବେଳେ ଉତ୍ସାହିତ କରିଥାନ୍ତି।
Dharitri – Odisha’s No.1 Odia Daily

