ଲିନ୍ସଲରୀ ପ୍ରୋଜେକ୍ଟ କାର୍ଯ୍ୟ ତଦାରଖ

ବଅଁରପାଳ,୨୪ା୧(ଡି.ଏନ.ଏ.)
ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂତନ ଅଧ୍ୟକ୍ଷ ଶ୍ରୀଧର ପାତ୍ର ଦୁଇ ଦିନିଆ ଅନୁଗୋଳ ଗସ୍ତରେ ଆସି ଗୁରୁବାର ନାଲ୍‌କୋ ସ୍ମେଲଟର ଓ ପାୱାର ପ୍ଲାଣ୍ଟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ସିଏମ୍‌ଡି ନାଲ୍‌କୋରେ କାର୍ଯ୍ୟରତ ସମସ୍ତ ଶ୍ରମିକ ସଙ୍ଗଠନ ସହିତ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହାପରେ ପ୍ଲାଣ୍ଟ ଏବଂ ସମ୍ପ୍ରସାରଣ ନେଇ ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରିଥିଲେ। ନାଲ୍‌କୋର ଲାଇଫ ଲାଇନ କୁହାଯାଉଥିବା ଲିନ୍ସଲରୀ ପ୍ରୋଜେକ୍ଟକୁ ପରିଦର୍ଶନ କରିବା ସହ ଏହାର କାର୍ଯ୍ୟ ତଦାରଖ କରିଥିଲେ। ନାଲ୍‌କୋ ଦ୍ୱାରା ନିର୍ମାଣ କରାଯାଇଥିବା ଚକ୍ଷୁ ଚିକିତ୍ସାଳୟ ପରିଦର୍ଶନ କରି ଏହାକୁ ଚାଲୁ କରିବା ପାଇଁ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ନାଲ୍‌କୋ ସିପିପିର ସ୍ବୀକୃତିପ୍ରାପ୍ତ ସଙ୍ଗଠନ, ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନର କର୍ମକର୍ତ୍ତା ପରେଶ ଜେନା, ବିଭବ ଜେନା, ହେମନ୍ତ ପ୍ରଧାନ, ବିଭୂତି ଶତପଥୀ, ସୁଜିତ ସେଠ, ଆର.କେ. ସିଂହ, ସନ୍ତୋଷ ମହାରଣା, ପ୍ରଣବ ଜେନା ଓ ପ୍ରଦୀପ ସାହୁ ପ୍ରମୁଖ ସିପିପିରେ ପାଣି, ପାଉଁଶ ଓ କୋଇଲା ସମସ୍ୟାର ସମାଧାନ ସହ ପୁରୁଣା ପ୍ଲାଣ୍ଟ ନବୀକରଣ ଏବଂ କର୍ମଚାରୀମାନଙ୍କ କ୍ୱାର୍ଟର୍ସ ମରାମତି ପାଇଁ ସିଏମ୍‌ଡିଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ସିଏମ୍‌ଡି ନାଲ୍‌କୋ ସରସ୍ବତୀ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ନେତାଜୀ ଜୟନ୍ତୀରେ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ। ସିଏମ୍‌ଡିଙ୍କ ଏହି ପରିଦର୍ଶନ ସମୟରେ ନାଲ୍‌କୋ ଇଡି ମନସା ପ୍ରସାଦ ମିଶ୍ର, ମାନବ ସମ୍ବଳ ମହାପ୍ରବନ୍ଧକ ଏସ.ଏନ. ସାହୁ, ସ୍ମେଲ୍ଟର ମହାପ୍ରବନ୍ଧକ ମୃତ୍ୟୁଞ୍ଜୟ ଦାସ, ସିପିପି ମହାପ୍ରବନ୍ଧକ ଅମ୍ବିକା ପ୍ରସାଦ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।