ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ: ବନ୍ଧା ହେଲେ ବିଡିଏ ଏନ୍‌ଫୋର୍ସମେଣ୍ଟ ଇନ୍ସପେକ୍ଟର

ଭୁବନେଶ୍ୱର (ବ୍ୟୁରୋ)/କଟକ ଅଫିସ, ୬।୧୧:ମଙ୍ଗଳବାର ଦିନ ଦ୍ୱିପ୍ରହରରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଏନ୍‌ଫୋର୍ସମେଣ୍ଟ ଇନ୍ସପେକ୍ଟର ପୁରୁଷୋତ୍ତମ ଜେନାଙ୍କୁ ଭିଜିଲାନ୍ସ କାବୁ କରିଛି। ଜୟଦେବବିହାର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ସମ୍ବିତ ପାଣିଗ୍ରାହୀଙ୍କ ଫ୍ଲାଟ୍‌କୁ ଅଧା ଭାଙ୍ଗି ପୂରା ଉଚ୍ଛେଦ କରିିଛନ୍ତି ବୋଲି ପୁରୁଷୋତ୍ତମ ରିପୋର୍ଟ ପ୍ରସ୍ତୁତ କରିଥିଲେ। ପରେ ୧୫ ହଜାର ଟଙ୍କା ନ ଦେଲେ ସତରେ ପୂରା ଭାଙ୍ଗିଦେବେ ବୋଲି ସେ ସମ୍ବିତଙ୍କୁ ଧମକ ଦେଇଥିଲେ। ଦାବି ମୁତାବକ ପୁରୁଷୋତ୍ତମ ମଙ୍ଗଳବାର କେଶରୀ ସିନେମା ହଲ୍‌ ନିକଟରେ ଥିବା ଏକ ଚା’ ଦୋକାନ ପାଖରୁ ସମ୍ବିତଙ୍କଠାରୁ ଲାଞ୍ଚ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ଏହାପରେ ଭିଜିଲାନ୍ସ ଟିମ୍‌ ଭୁବନେଶ୍ୱରରେ ଥିବା ପୁରୁଷୋତ୍ତମଙ୍କ ଭଡ଼ାଘର ଓ ଅଫିସ୍‌ ଚ୍ୟାମ୍ବରରେ ଯାଞ୍ଚ କରିଛି। ଏ ନେଇ ଭିଜିଲାନ୍ସ ସେଲ୍‌ ଥାନାରେ ୧୮/୨୦୧୯ରେ ଏକ ମାମଲା ରୁଜୁ କରାଯାଇ ପୁରୁଷୋତ୍ତମଙ୍କୁ ଗିରଫ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୨୩ରେ ଜୟଦେବ ବିହାର ନିକଟ ଜୟଦେବ ଟାଓ୍ବାରରେ ବିଡିଏ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ଉଚ୍ଛେଦ କରାଯାଇଥିଲା। ଆପାର୍ଟମେଣ୍ଟରେ ଥିବା ପାର୍କିଂ ସ୍ଥାନରେ ବେଆଇନ୍‌ ନିର୍ମାଣ ଓ ଉପର ମହଲାକୁ ବିନା ପ୍ଲାନ୍‌ରେ ତିଆରି କରାଯାଇଥିବା ଦର୍ଶାଇ ଉଚ୍ଛେଦ କରାଯାଇଛି ବୋଲି ଦର୍ଶାଯାଇଥିଲା। ବିନା ନୋଟିସ୍‌ ଓ ସୂଚନାରେ ସେଠାରେ ବିଡିଏ କର୍ମଚାରୀ ପହଞ୍ଚିଥିବାରୁ ଆପାର୍ଟମେଣ୍ଟବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଉଚ୍ଛେଦକୁ ବିରୋଧ କରିଥିଲେ। ଫଳରେ ଉଚ୍ଛେଦ ବିଳମ୍ବରେ ଆରମ୍ଭ ହୋଇଥିଲା। ବିନା କାହାରି ପରାମର୍ଶ ଓ ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ସ୍ଥଗିତାଦେଶକୁ ଖାତିର ନ କରି ପୁରୁଷୋତ୍ତମ ଉଚ୍ଛେଦ କରିଥିଲେ। ସମ୍ବିତ ବାରମ୍ବାର ଅନୁରୋଧ କରିଥିଲେ ବି ସେ ଶୁଣି ନଥିଲେ। କିନ୍ତୁ ବର୍ଷା ଅଧିକ ହେବା ଫଳରେ ଉଚ୍ଛେଦ ଅଧାରୁ ବନ୍ଦ ହୋଇଯାଇଥିଲା। ଏହାପରେ ସମ୍ବିତଙ୍କୁ ପୁରୁଷୋତ୍ତମ ବ୍ଲାକ୍‌ମେଲ କରିବା ଆରମ୍ଭ କରିଦେଇଥିଲେ। ଆଗକୁ ଉଚ୍ଛେଦ ନ ହେବା ଲାଗି ୧୫ ହଜାର ଲାଞ୍ଚ ମାଗିଥିଲେ। ଏନେଇ ସମ୍ବିତ ଭିଜିଲାନ୍ସର ଦ୍ୱାରସ୍ଥ ହେଇଥିଲେ। ସୂଚନାଥାଉ କି, ପୁରୁଷୋତ୍ତମ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। ସେ ଠିକାରେ ବିଡିଏରେ ଏନ୍‌ଫୋର୍ସମେଣ୍ଟ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ।