‘ଲାକ୍‌ମେ ଫ୍ୟାଶନ ୱିକ୍‌’: ସେଟ୍‌ ଡିଜାଇନ୍‌ କରିବେ ଓଡ଼ିଆ ଛାତ୍ରୀ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଦେଶର ପ୍ରମୁଖ ଫ୍ୟାଶନ ଓ ଲାଇଫ୍‌ଷ୍ଟାଇଲ ଶୋ ‘ଲାକ୍‌ମେ ଫ୍ୟାଶନ ୱିକ୍‌’ରେ ଡିଜାଇନ୍‌ ପ୍ରଦର୍ଶନ କରିବେ ଜଣେ ଓଡ଼ିଆ ଛାତ୍ରୀ। ଇଣ୍ଟେରିୟର ଡିଜାଇନ୍‌ ବର୍ଗରେ ‘ଲାକ୍‌ମେ ଫ୍ୟାଶନ ୱିକ୍‌’ର ମୁଖ୍ୟ ଶୋ ଏରିଆରେ ଜଣେ ଖ୍ୟାତନାମା ଡିଜାଇନରଙ୍କ ଶୋ’ର ସେଟ୍‌ ଡିଜାଇନ୍‌ କରିବାର ସୁଯୋଗ ପାଇଛନ୍ତି ଭୁବନେଶ୍ୱରର ସୌଭାଗ୍ୟଲକ୍ଷ୍ମୀ ରାଉତ। ପ୍ରଥମଥର ପାଇଁ ଭୁବନେଶ୍ୱରରେ ‘ଲାକ୍‌ମେ ଫ୍ୟାଶନ ଓ୍ବିକ୍‌’ର ଆଞ୍ଚଳିକ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଆଇଏନ୍‌ଆଇଏଫ୍‌ଡିର ଫ୍ୟାଶନ ଓ ଇଣ୍ଟେରିୟର ଡିଜାଇନ୍‌ ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ୱର ଆଇଏନ୍‌ଆଇଏଫ୍‌ଡି ସେଣ୍ଟରରୁ ସୌଭାଗ୍ୟଲକ୍ଷ୍ମୀ ରାଉତ ଇଣ୍ଟେରିୟର ଡିଜାଇନ ବର୍ଗରେ ‘ଲାକ୍‌ମେ ଫ୍ୟାଶନ ୱିକ୍‌’ ପାଇଁ ମନୋନୀତ ହୋଇଥିବାବେଳେ ପ୍ରଥମ ରନର୍ସଅପ୍‌ ଭାବେ ମହମ୍ମଦ ଗୁଲଶନ ଓ ଦ୍ୱିତୀୟ ରନର୍ସଅପ୍‌ ଭାବେ ଜଗଜିତ କୌର ମନୋନୀତ ହୋଇଛନ୍ତି।
ଆଇଏନ୍‌ଆଇଏଫ୍‌ଡି ଓ ଆଇଏମ୍‌ଜି ରିଲାଏନ୍ସ ପକ୍ଷରୁ ବୁଧବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେଲିବ୍ରିଟି ଜୁରୀଭାବେ ଯୋଗଦେଇଥିଲେ ବଲିଉଡ୍‌ ଅଭିନେତ୍ରୀ ତଥା ‘ପ୍ୟାର୍‌ କା ପଞ୍ଚ୍‌ନାମା’ ଫେମ୍‌ ସୋନାଲି ସୈଗଲ। ତାଙ୍କ ସହ ଖ୍ୟାତନାମା ଫ୍ୟାଶନ ଡିଜାଇନର ପାୟଲ ପ୍ରତାପ, ଫେନୋଟାଇପ୍‌ ଆର୍କିଟେକ୍ଚର ଷ୍ଟୁଡିଓର ସଂସ୍ଥାପକ ଅନିକା କୋଚ୍ଚର, ଟେଲିଭିଜନ ଫେମ୍‌ ନୀରଜ ଗାବା, ଆଇଏମ୍‌ଜି ରିଲାଏନ୍ସର ‘ଦ ଭଏସ୍‌ ଅଫ୍‌ ଫ୍ୟାଶନ’ର ସମ୍ପାଦକ ସେଫାଳି ବାସୁଦେବ ପ୍ରମୁଖ ବିଚାରକଭାବେ ଯୋଗଦେଇ ଉଭୟ ଇଣ୍ଟେରିୟର ଓ ଫ୍ୟାଶନ ଡିଜାଇନ୍‌ ବିଭାଗରୁ ଶ୍ରେଷ୍ଠ ପ୍ରତିଯୋଗୀ ଚୟନ କରିଥିଲେ। ଫ୍ୟାଶନ ଡିଜାଇନ୍‌ ବର୍ଗରେ କୋଲକାତାର ସାଦିୟା ରିଜୱାନା ଶ୍ରେଷ୍ଠ ବିବେଚିତ ହୋଇଥିବାବେଳେ ପ୍ରଥମ ରନର୍ସଅପ୍‌ ହୋଇଥିଲେ ସିଫା ସୟଦ ଏବଂ ଦ୍ୱିତୀୟ ରନର୍ସଅପ୍‌ ହୋଇଥିଲେ ମହିମା ମେହରୋତ୍ରା। ମନୋନୀତ ଫ୍ୟାଶନ ଡିଜାଇନ୍‌ ଛାତ୍ରୀଛାତ୍ରମାନେ ‘ଲାକ୍‌ମେ ଫ୍ୟାଶନ ୱିକ୍‌’ ସମୟରେ ଆଇଏନ୍‌ଆଇଏଫ୍‌ଡି ଲଞ୍ଚ୍‌ପ୍ୟାଡ୍‌ର ପ୍ରମୁଖ ଶୋ ଏରିଆରେ ନିଜ ଡିଜାଇନ୍‌ ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ଏଥିପାଇଁ ସ୍ବତନ୍ତ୍ର କ୍ୟାଶ୍‌ ପ୍ରାଇଜ୍‌ ସହ ଡିଜାଇନ୍‌ ଏକ୍ସପର୍ଟମାନଙ୍କ ଅଧୀନରେ ସେମାନେ ପ୍ରଶିକ୍ଷିତ ହେବାର ସୁଯୋଗ ମଧ୍ୟ ପାଇବେ। ବଲିଉଡ୍‌ ଓ ଟେଲିଭିଜନ୍‌ ଅଭିନେତା ତଥା ମଡେଲ ଅମନ ବର୍ମା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଆଇଏନ୍‌ଆଇଏଫ୍‌ଡିର ଉଦୀୟମାନ ଫ୍ୟାଶନ ଡିଜାଇନର ଓ ଇଣ୍ଟେରିୟର ଡିଜାଇନରମାନଙ୍କ ଦ୍ୱାରା ଏକ ଟକ୍‌ ଶୋ ଏବଂ ସ୍ବତନ୍ତ୍ର କ୍ୟୁରେଟେଡ୍‌ ନଲେଜ୍‌ସିରିଜ୍‌ ଓ ଡିଜାଇନ୍‌ ପ୍ରେଜେଣ୍ଟେଶନ ପ୍ରଦର୍ଶିତ ହୋଇଥିଲା।