ଲାକ୍‌ମୀ ଫ୍ୟାଶନ ଉଇକ୍‌ରେ ଚମକିଲେ ନେପାଳର ପ୍ରଥମ ଟ୍ରାନ୍ସଜେଣ୍ଡର ମହିଳା

ବମ୍ବେ: ଲାକ୍‌ମୀ ଫ୍ୟାଶନ ଉଇକ୍‌ରେ ଜଣେ ଟ୍ରାନ୍ସଜେଣ୍ଡର ମହିଳାଙ୍କ ଜଲଓ୍ବା। ସେ ବି ଏଭଳି ଯେ ସେଠାରେ ଉପସ୍ଥିତ ସମସ୍ତଙ୍କ ନଜର ତାଙ୍କ ଉପରେ କେନ୍ଦ୍ରୀଭୂତ ହୋଇଥିଲା।

ନେପାଳର ନୁବାକେଟ ଜିଲାର ଏକ କୃଷକ ପରିବାରରେ ଜନ୍ମ ନେଇଥିବା ଅଞ୍ଜଳୀ ଲାମା ମଡେଲିଂ ଦୁନିଆର ଏବେ ଚର୍ଚ୍ଚିତ ଚେହେରା। ପରିବାର ଏବଂ ସମାଜର ନିୟମ ସହ ଲଢ଼ି ସେ ନିଜକୁ ପ୍ରତିଷ୍ଠିତ କରିଛନ୍ତି।

୧୮ ବର୍ଷ ବୟସରେ ଅଞ୍ଜଳି ନିଜେ ଜଣେ ଟ୍ରାନ୍ସଜେଣ୍ଡର ବୋଲି ଜାଣିବାକୁ ପାଇଥିଲେ। ସେ ଘରେ ଏ ବିଷୟରେ କହିବା ପରେ ପରିବାରଲୋକେ ଏହାକୁ ଗ୍ରହଣ କରି ନ ଥିଲେ। ତାଙ୍କୁ ଘରୁ ବାହାର କରି ଦିଆଯାଇଥିଲା। ପରେ ସେ କାଠମାଣ୍ଡୁ ଯାଇ ରହିବାର ଅନେକ ଦିନ ପରେ ମଡେଲିଂ କରିବା ଆରମ୍ଭ କରିଥିଲେ। ଧୀରେ ଧୀରେ ବିଭିନ୍ନ କଭର୍‌ ପେଜ୍‌ରେ ସେ ନଜର ଆସିଥିଲେ। ନେପାଳର ‘ଭଏସ୍‌ ଅଫ୍‌ ନେପାଳ’ ମାଗାଜିନ୍‌ରେ ତାଙ୍କୁ ଦେଖିବା ପରେ ଅନେକେ ପ୍ରଶଂସାରେ ଶତମୁଖ ହୋଇଯାଇଥିଲେ। ଏହାପରେ ସେ ଅନେକ ଟିଭି ଶୋ’ କରିବା ସହ ହୋଟେଲରେ ମଧ୍ୟ କାମ କରୁଥିଲେ। ଏହି ସମୟରେ ୟୁକେର ଜଣେ ବ୍ଲଗର ତାଙ୍କୁ ଦେଖିବା ପରେ ଅଞ୍ଜଳି ଚର୍ଚ୍ଚାକୁ ଆସିଥିଲେ।

ଅଞ୍ଜଳି ଭାରତୀୟ ଫ୍ୟାଶନ ଶୋ’ରେ କାମ କରିବା ଲାଗି ଅନେକ ଥର ଆବେଦନ କରିଥିଲେ। ହେଲେ ତାଙ୍କୁ ଚୟନ କରାଯାଉ ନ ଥିଲା। ତୃତୀୟଥର ପାଇଁ ସେ ଲାକ୍ଷ୍ମୀ ଫାଶନ୍‌ ଉଇକ୍‌ରେ ମଡେଲିଂ କରିବା ପାଇଁ ଭାରତ ଆସି ସଫଳ ହୋଇଥିଲେ। ଶେଷରେ ସେ ଡିଜାଇନର ମୋନିଷା ଜୟସିଂହଙ୍କ ପାଇଁ ର଼୍ୟାମ୍ପରେ ଓ୍ବାକ୍‌ କରିଥିଲେ। ଏପରି କରିବାରେ ସେ ପ୍ରଥମ ମହିଳା ଟ୍ରାନ୍ସଜେଣ୍ଡର ପାଲଟିଛନ୍ତି।

Share