ଲଜ୍ଜାଜନକ ରେକର୍ଡ କଲା KKR: IPL ଇତିହାସରେ ଯାହା କେବେ ଘଟି ନ ଥିଲା…

ନୂଆଦିଲ୍ଲୀ,୧୫।୪: IPL 2026ର ୨୨ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ (KKR) ଚେନ୍ନାଇ ସୁପର କିଙ୍ଗ୍ସ (CSK) ବିପକ୍ଷରେ ୩୨ ରନରେ ପରାଜୟ ବରଣ କରିଛି। ଏହା ସିଜିନରେ KKRର ଚତୁର୍ଥ ପରାଜୟ। ମଙ୍ଗଳବାରର ପରାଜୟ KKR ପାଇଁ ଏକ ଲଜ୍ଜାଜନକ ରେକର୍ଡ।

IPL ଇତିହାସରେ ଏହା ପ୍ରଥମ ଥର ଯେ KKR ତାର ପ୍ରଥମ ପାଞ୍ଚଟି ମ୍ୟାଚରେ ଗୋଟିଏ ବି ମ୍ୟାଚ ଜିତିପାରି ନାହିଁ। KKR ଏହି ସିଜିନରେ ମୋଟ ପାଞ୍ଚଟି ମ୍ୟାଚ ଖେଳିଛି, ସେଥିମଧ୍ୟରୁ ଚାରିଟି ହାରିଛି, ଗୋଟିଏ ମ୍ୟାଚ ଡ୍ରରେ ଶେଷ ହୋଇଛି। ଏମଏ ଚିଦାମ୍ବରମ କ୍ରିକେଟ ଷ୍ଟାଡିୟମରେ ୧୯୩ ରନର ଟାର୍ଗେଟକୁ ପିଛା କରି, KKR ୨୦ ଓଭରରେ ୭ ଉଇକେଟ ହରାଇ କେବଳ ୧୬୦ ରନ କରିପାରିଥିଲା।
ଫିନ ଆଲେନ ମାତ୍ର ଗୋଟିଏ ରନ କରି ଆଉଟ ହୋଇଥିଲେ। ସୁନୀଲ ନାରିନ ୧୭ ବଲରୁ ୨୪ ରନ କରି ଖଲିଲ ଅହମ୍ମଦଙ୍କ ଦ୍ୱାରା ଆଉଟ ହୋଇଥିଲେ। KKR ଅଧିନାୟକ ଅଜିଙ୍କେ ରାହାଣେ ମଧ୍ୟ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିପାରି ନ ଥିଲେ, ୧୭ ବଲରୁ ୨୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅଙ୍ଗକ୍ରିଶ ରଘୁବଂଶୀ ମଧ୍ୟ ଭଲ ଆରମ୍ଭର ଫାଇଦା ଉଠାଇ ପାରି ନ ଥିଲେ ଏବଂ ୧୯ ବଲରୁ ୨୭ ରନ କରି ଆଉଟ ହୋଇଥିଲେ।

ରିଙ୍କୁ ସିଂମାତ୍ର ୬ ରନ କରିଥିଲେ। କ୍ୟାମେରନ ଗ୍ରୀନ ଖାତା ନ ଖୋଲି ନୁର ଅହମ୍ମଦଙ୍କ ଦ୍ୱାରା ଆଉଟ ହୋଇଥିଲେ। ରୋଭମାନ ପାୱେଲ ୨୨ ବଲ ରୁ ୩୧ ରନ କରିଥିଲେ, ରମନଦୀପ ସିଂ ୩୫ ରନ ଯୋଗଦାନ ଦେଇଥିଲେ। ସେମାନେ ମିଳିତ ଭାବରେ ସପ୍ତମ ଉଇକେଟ ପାଇଁ ୬୩ ରନର ଭାଗୀଦାରି କରିଥିଲେ, କିନ୍ତୁ ଦଳକୁ ବିଜୟୀ କରିପାରି ନ ଥିଲେ। ସିଏସ କେ ପାଇଁ ନୁର ଅହମ୍ମଦଙ୍କ ବୋଲିଂ ଚମତ୍କାର ଥିଲା। ସେ ମାତ୍ର ୨୧ ରନ ଦେଇ ୩ ଉଇକେଟ ନେଇଥିଲେ। ଅଂଶୁଲ କାମ୍ବୋଜ ୨ ଉଇକେଟ ନେଇଥିଲେ।

ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭରରେ ୫ ଉଇକେଟ ହରାଇ ୧୯୨ ରନ କରିଥିଲା। ଦଳ ପାଇଁ ସଞ୍ଜୁ ସାମସନ ୩୨ ବଲରୁ ୪୮ ରନ କରିଥିଲେ। ଆୟୁଷ ମହାତ୍ରେ ମଧ୍ୟ ୧୭ ବଲରୁ ୩୮ ରନ କରିଥିଲେ। ତଥାପି ଅଧିନାୟକ ଋତୁରାଜ ଗାୟକ୍ୱାଡ ମାତ୍ର ୭ ରନ କରିପାରିଥିଲେ। ଡେୱାଲ୍ଡ ବ୍ରେଭିସ ୨୯ ବଲରୁ ୪ ଚୌକା ଏବଂ ୨ ଛକା ସହାୟତାରେ ୪୧ ରନ କରିଥିଲେ। ସରଫରାଜ ଖାନ ୧୮ ବଲରୁ ୨୩ ରନ କରିଥିଲେ।

 

Dharitri – Odisha’s No.1 Odia Daily