ଲଘୁଚାପ ବର୍ଷା: ଧାନଜମି ଜଳମଗ୍ନ

କୃଷ୍ଣପ୍ରସାଦ,୧୩ା୮(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ବର୍ଷା ଅଭାବରୁ ଧାନରୁ ଗଜା ବାହାରିପାରି ନ ଥିଲା। ପରେ ଲୋକମାନେ ପୁଣି ଚାଷକରି ଧାନ ବୁଣିଥିଲେ। ବହୁ କଷ୍ଟ କରି ପମ୍ପ ଦ୍ୱାରା ପାଣି ମଡାଇ ଧାନଗଛ ବଞ୍ଚାଇ ରଖିଥିଲେ। ଏପରି ସମୟରେ ଦୁଇଦିନ ହେଲା ଲଘୁଚାପ ବର୍ଷା ଲାଗିରହିଥିବାରୁ ଧାନଜମି ଜଳମଗ୍ନ ହୋଇଯାଇଛି। ଯେଉଁଆଡେ ଦେଖିଲେ କେବଳ ପାଣି । ଧାନ ଗଛ ବାହାରକୁ ଦେଖା ଯାଉନାହିଁ। ଗଜାମରୁଡି ପରେ ଏବେ ଧାନଗଛ ପଚି ନଷ୍ଟ ହେବା ଚାଷୀଙ୍କୁ ଚିନ୍ତାରେ ପକାଇଛି । ଜଳ ନିଷ୍କାସନ ପାଇଁ ଚିଲିକାର ରିଂବନ୍ଧରେ ଶଙ୍ଖ ଥିବାବେଳେ କିଛି ମାଛଚାଷୀ ସେହି ରାସ୍ତାକୁ ପଥର, କାଚ, ଗଛ ପକାଇ ଅବରୋଧ କରିଛନ୍ତି। ଯାହାଦ୍ୱାରା ଧାନ ଜମିରୁ ପାଣି ନିଷ୍କାସନ ହୋଇପାରୁ ନାହିଁ। ଏଭଳି ପରିସ୍ଥିତିରେ ବିଭାଗୀୟ କର୍ମଚାରୀମାନଙ୍କ ଦେଖା ମିଳୁନାହିଁ । ଫୋନରେ ଯୋଗାଯୋଗ କରାଯାଉଥିଲେ ମଧ୍ୟ ସମ୍ଭବ ହେଉନାହିଁ। ଶେଷରେ ଅନ୍ୟ ଉପାୟ ନ ପାଇ ଗିଲିନାସୀ ଗ୍ରାମବାସୀ ବିଡିଓ, ତହସିଲଦାରଙ୍କୁ ଅଭିଯୋଗ କରିବା ସହ ସେମାନଙ୍କ ଉପସ୍ଥିତିରେ ଗ୍ରାମ୍ୟ ଉନ୍ନୟନ ରାସ୍ତା କାଟି ଦେଇଥିଲେ। ଅନ୍ୟପକ୍ଷରେ ଲଘୁଚାପ ବର୍ଷା ଯୋଗୁ ସମୁଦ୍ର ଓ ଚିଲିକାକୁ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ନ ଯାଇ ହାତବାନ୍ଧି ବସିଛନ୍ତି। ସମୁଦ୍ରକୁ ବୋଟ ଚାଲିଯିବା ଭୟରେ ବାଲିଉପରକୁ ଟାଣି ଆଣି ସୁରକ୍ଷିତ ରଖିଛନ୍ତି। ୫ଦିନ ଧରି ସମୁଦ୍ରର ଢେଉ ବଢୁଥିବାବେଳେ କୂଳ ଲଙ୍ଘିବା ଆରମ୍ଭ କରିଛି । ନବା, ସିଆଣ୍ଡି, ରାମଲଙ୍କା, ପ୍ରୟାଗୀ ନିକଟରେ କୂଳ ଲଙ୍ଘି ବାଲିସ୍ତୂପରେ ଥିବା ଘରଗୁଡିକୁ ଭାଙ୍ଗି ଖସାଇବାରେ ଲାଗିଛି । ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦେଲେ ସମଗ୍ର କୃଷ୍ଣପ୍ରସାଦ ବଙ୍ଗୋପସାଗରରେ ଲୀନ ହେବା ଆଶଙ୍କା ଦେଖାଦେଇଛି।