ଲଘୁଚାପ ବର୍ଷା: ଜୀବନଯାତ୍ରା ବ୍ୟାହତ, ଜମିରେ ଲୋଟିଛି ଧାନ ଫସଲ

ନୟାଗଡ଼ ଅଫିସ,୨୫ା୧୦: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦୁଇଦିନ ହେଲା ସାରା ରାଜ୍ୟରେ ବର୍ଷା ଲାଗିରହିଛି। ନୟାଗଡ଼ ଜିଲାରେ ଏହି ବର୍ଷା ପ୍ରଭାବରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କେତେବେଳେ ଜୋର୍‌ ତ ଆଉ କେତେବେଳେ ଝିପିଝିପି ବର୍ଷା ଯୋଗୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜରୁରୀ କାମ ନ ପଡ଼ିଲେ ଲୋକେ ବାହାରକୁ ବାହାରୁ ନାହାନ୍ତି। ବଜାର ଜନଶୂନ୍ୟ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ବୁଧବାର ସକାଳ ୮ଟାରୁ ଗୁରୁବାର ସକାଳ ୮ଟା ପର୍ଯ୍ୟନ୍ତ ଜିଲାରେ ୬୯୪.୩ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। ରଣପୁର ବ୍ଲକରେ ସର୍ବାଧିକ ୧୩୦.୨ ମିମି ଓ ଦଶପଲ୍ଲା ବ୍ଲକରେ ସର୍ବନିମ୍ନ ୪୫.୪ ମିମି ବର୍ଷା ହୋଇଛି। ସେହିପରି ଭାପୁର ବ୍ଲକରେ ୧୧୦.୨ ମିମି, ଗଣିଆରେ ୭୧ ମିମି, ଖଣ୍ଡପଡ଼ାରେ ୯୮ ମିମି, ନୟାଗଡ଼ରେ ୯୧.୮ ମିମି, ନୂଆଗାଁରେ ୫୫ ମିିମି ଓ ଓଡ଼ଗାଁ ବ୍ଲକରେ ୯୨.୭ ମିମି ବର୍ଷା ରେକର୍ଡ଼ କରାଯାଇଛି। ଗୁରୁବାର ସକାଳଠାରୁ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ବର୍ଷା ଜାରି ରହିଛି। ଏହା ଆହୁରି ଗୋଟିଏ ଦିନ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବର୍ଷା ଫଳରେ ମରୁଡ଼ି ହେବାକୁ ଥିବା ବିଲରେ ବର୍ତ୍ତମାନ ପାଣି ଜମି ରହିଛି। ଅନେକ ଜମିରେ ଧାନଫସଲ ତଳେ ଲୋଟିଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ନୟାଗଡ଼ ବ୍ଲକ ଲେଙ୍କୁଡ଼ିପଡ଼ା ଧବଳାଇ ଗ୍ରାମରେ ଜୟନ୍ତୀ ସେଠୀଙ୍କ ପରିବାର ପାଣି ଘେରରେ ରହିଛନ୍ତି। ମାଟି ଘରେ ପାଣି ଜମି ରହିଥିବାରୁ କେତେବେଳେ କ’ଣ ହେବ ତାହା କହିବା ମୁସ୍କିଲ। ପକ୍କା ଘର ପାଇଁ ବିଧବା ଜୟନ୍ତୀ ବିଭିନ୍ନ ସ୍ଥାନରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିପାରି ନାହିଁ। ସେହିଭିଳି ଖୁଣ୍ଟୁବନ୍ଧ ପଞ୍ଚାୟତ ଗୋଡ଼ିଆଳି ଗ୍ରାମ ମୁଣ୍ଡରେ ଥିବା ଦୁଇ ପରିବାର ପାଣି ଘେରରେ ଅଛନ୍ତି। ସେମାନେ ହେଲେ ଶରତ ସାହୁ ଓ ଚନ୍ଦ୍ର ଶେଖର ସାହୁ। ଦୁଇମାସ ତଳେ ହୋଇଥିବା ବର୍ଷାରେ ଉକ୍ତ ପରିବାର ଲୋକେ ପାଣି ଘେରରେ ଥିବା ଜାଣିବା ପରେ ତତ୍କାଳୀନ ଜିଲାପାଳ ଡା. ଏନ୍‌ ତିରୁମାଲା ନାୟକ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଉକ୍ତ ସ୍ଥାନରେ ଡ୍ରେନ ନିର୍ମାଣ କରାଯାଇ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସମାଧାନ ହୋଇପାରିନି। ଉକ୍ତ ସ୍ଥାନରେ ଥିବା ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପାଣିଘେରରେ ରହିଥିବାରୁ ଅଘଟଣ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।