ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୦ା୯(ବ୍ୟୁରୋ):ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସୋମବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗ ଦେଇ ଓଡ଼ିଶା ଉପକୂଳକୁ ଆସିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ। ଲଘୁଚାପ ଯୋଗୁ ସୋମବାରଠାରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି। ମଙ୍ଗଳବାର ବର୍ଷାର ପରିମାଣ ଆହୁରି ବଢ଼ିବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି। ବିଶେଷକରି ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଦେବଗଡ଼, ବରଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ହୋଇପାରେ। ଏଥିଯୋଗୁ ପାର୍ବତ୍ୟାଞ୍ଚଳରେ ଭୂସ୍ଖଳନ ହେବା ଆଶଙ୍କା ରହିଛି। ସେହିପରି ଏହି ସମୟରେ କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷେ ୨୧ ଓ ୨୨ ତାରିଖରେ ମଧ୍ୟ କେତେକ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ସତର୍କ କରାଯାଇଛି। ବଲାଙ୍ଗୀର, ସୋନପୁର, ସମ୍ବଲପୁର, ନୂଆପଡ଼ା ଏବଂ ସୁନ୍ଦରଗଡ଼ ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଲଘୁଚାପ ପ୍ରଭାବରେ ଉପକୂଳରେ ଘଣ୍ଟାକୁ ୪୦ରୁ ୫୦ କି.ମି. ବେଗରେ ପବନ ବହିବ। ମଙ୍ଗଳବାର ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ଲଘୁଚାପକୁ ଦୃଷ୍ଟିରେ ରଖି ଜିଲାପାଳମାନଙ୍କୁ ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଯାଇଛି।
ଘୂର୍ଣ୍ଣିବଳୟ ଯୋଗୁ ସୋମବାର ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ଲାଗିରହିଛି। ଚାନ୍ଦବାଲିରେ ୩୩.୯ ମି.ମି. ବର୍ଷା ହୋଇଥିବା ବେଳେ ପାରାଦୀପ ୫୦.୩, ଭୁବନେଶ୍ୱର ୩୪, ଭବାନୀପାଟଣା ୨୦.୬, ବଲାଙ୍ଗୀର ୪୨.୪, କୋରାପୁଟ ୨୮, ନୟାଗଡ଼ ୨୬ ଓ ତାଳଚେରରେ ୩୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।