ଲଘୁଖଣିଜ ପଦାର୍ଥ ପାଇଁ ଆସିବ ନୂଆ ନିୟମ: ୪ ରାଜ୍ୟ ଅନୁଧ୍ୟାନ କଲେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଟିମ୍‌

ଭୁବନେଶ୍ୱର, ୨।୨(ବ୍ୟୁରୋ): ରାଜ୍ୟର ବାଲି, ମୋରମ, ମାଟି, ଚିପ୍‌ସ ଭଳି ଲଘୁଖଣିଜ ସମ୍ପଦ ଆଉ ମନଇଚ୍ଛା ନିଲାମ ହେବ ନାହିଁ। ଏଥିପାଇଁ ରାଜ୍ୟ ସରକାର ଏକ ନୂତନ ରୁଲ୍‌ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏ ନେଇ ଅନ୍ୟ ରାଜ୍ୟରେ ଥିବା ବ୍ୟବସ୍ଥାକୁ ଅନୁଧ୍ୟାନ କରାଯାଉଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସ୍ବତନ୍ତ୍ର ସଚିବ ଆର.ଏନ. ପଲେଇଙ୍କ ନେତୃତ୍ୱରେ ଏକ ଟିମ୍‌ ପଞ୍ଜାବ, ରାଜସ୍ଥାନ, ତେଲେଙ୍ଗାନା ଏବଂ କର୍ନାଟକ ଗସ୍ତ କରି ସେଠାକାର ଲଘୁଖଣିଜ ପଦାର୍ଥଗୁଡିକୁ କିପରି ବ୍ୟବସ୍ଥିତ କରାଯାଇଛି ସେ ନେଇ ଅନୁଧ୍ୟାନ କରିଛନ୍ତି। ପଲେଇ ଏବଂ ଅତିରିକ୍ତ ସଚିବ ଅଭୟ ନାୟକ ୨୦୧୯ ଡିସେମ୍ବର ୧୬ ରୁ ୨୧ ତାରିଖ ଯାଏ ପଞ୍ଜାବ ଓ ରାଜସ୍ଥାନ ଗସ୍ତ କରିଥିବା ବେଳେ ସ୍ବତନ୍ତ୍ର ସଚିବ ଶଶଧର ନାୟକ ଡିସେମ୍ବର ୧୮ ଓ ୨୨ ତାରିଖରେ ତେଲେଙ୍ଗାନା ଓ କର୍ନାଟକ ଗସ୍ତ କରିଥିଲେ। ଏହି ଟିମ୍‌ ସେହି ସବୁ ରାଜ୍ୟରେ ନିଲାମ ପ୍ରକି୍ରିୟା, ଖୋଳା, ମୂଲ୍ୟ ନିର୍ଦ୍ଧାରଣ, ଯୋଗାଣ ପଦ୍ଧତି କ’ଣ, ଏଗୁଡିକ କିପରି ବ୍ୟବହାର ହେଉଛି ସେ ସମସ୍ତ ବିଷୟକୁ ଅନୁଧ୍ୟାନ କରି ରିପୋର୍ଟ ଦେଇଛନ୍ତି। ଏହାକୁ ତର୍ଜମା କରିବା ପରେ ରାଜ୍ୟର ଲଘୁଖଣିଜ ପଦାର୍ଥ ପାଇଁ ସ୍ବତନ୍ତ୍ର ଗାଇଡ ଲାଇନ ପ୍ରସ୍ତୁତ କରାଯିବ।

ଶନିବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଲଘୁଖଣିଜ ପଦାର୍ଥ କିପରି ସାଧାରଣ ଲୋକ, ଘରୋଇ ବ୍ୟବହାର ଏବଂ ଶିଳ୍ପ ସଂସ୍ଥାକୁ ଯୋଗାଇ ଦିଆଯିବ, ଖଣିଜ ପଦାର୍ଥ ପାଇଁ ରାଜ୍ୟରେ କିପରି ଏକ ଉତ୍ତମ ନୀତି କାର୍ଯ୍ୟକାରୀ ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା। ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଲଘୁ ଖଣିଜ ପଦାର୍ଥ ପାଇଁ ରାଜ୍ୟରେ ଏକ ନିର୍ଦ୍ଦେଶାଳୟ ଗଠନ କରାଯାଇଛି। ପୁରୁଣା ବ୍ୟବସ୍ଥା ଅନୁଯାୟୀ ତହସିଲଦାରମାନେ ଲଘୁଖଣିଜ ପଦାର୍ଥଗୁଡିକୁ ନିଲାମ କରୁଛନ୍ତି। ରାଜସ୍ବ ବିଭାଗର ଏକ ଟିମ୍‌ ବିଭିନ୍ନ ରାଜ୍ୟ ଗସ୍ତ କରି ଅନୁଧ୍ୟାନ କରିଛନ୍ତି। ସେସବୁକୁ ତର୍ଜମା କରିବା ପରେ ରାଜ୍ୟ ପାଇଁ ଏକ ସମୟୋପଯୋଗୀ ପଲିସି ପ୍ରସ୍ତୁତ କରାଯିବ। ଏହି ବୈଠକରେ ଖଣି ଓ ଇସ୍ପାତ ସଚିବ ରାଜକୁମାର ଶର୍ମା, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।