ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର: ଶିଶୁପୁତ୍ର ମୃତ, ଦମ୍ପତିଙ୍କ ସମେତ ୪ ଆହତ

ଦିଗପହଣ୍ଡି,୨୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ର ଗୁମ୍ମା ଗାଁର ଦଳିତ ସାହିରେ ଲଗାଣ ବର୍ଷାରେ ଶନିବାର ଭୋରରୁ ଘର ଭୁଶୁଡ଼ି ପଡ଼ିବାରୁ ଜଣେ ୧୦ ମାସ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ମୃତଶିଶୁ ହେଲେ ଗ୍ରାମର ସନ୍ତୋଷ ନାଇକଙ୍କ ପୁଅ ସନାତନ।
ପ୍ରକାଶ ଯେ, ସନ୍ତୋଷ ଶୁକ୍ରବାର ରାତିରେ ଖାଇସାରି ମା’ ରାହାସ, ସ୍ତ୍ରୀ ବନିତା, କନ୍ୟା ପ୍ରିୟଙ୍କା ଓ ପୁଅ ସନାତନଙ୍କ ସହ ଶୋଇଥିଲେ। ଭୋରରୁ ନଡ଼ା ଛପର ଘର ଭୁଶୁଡ଼ି ପଡ଼ିବାରୁ ସପରିବାର ଆହତ ହୋଇଛନ୍ତି। ସମସ୍ତଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସନାତନଙ୍କୁ ମୃତ ଘୋଷଣା କରିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ବନିତା ଓ ରାହାସଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ, ବିଡିଓ ହଳଧର ଶବର ଗାଁରେ ପହଞ୍ଚତ୍ ଘଟଣାର ତଦନ୍ତ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେମାନେ ପହଞ୍ଚି ଆହତମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀ ସଦଳବଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି କେ. ନୂଆଗାଁ ଥାନାକୁ ଖବର କରିଥିଲେ। ପୋଲିସ ସନାତନଙ୍କ ମୃତଦେହ ଜବତକରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଛନ୍ତି । ଏ ନେଇ କେ. ନୂଆଗାଁ ଥାନାରେ କେସ୍‌ ନଂ. ୧୭/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।