ଲଗାଣ ବର୍ଷାରେ ଧୋଇଗଲା ରାସ୍ତା: ସପ୍ତାହେ ହେଲା କାଲିଗାଡ଼ୁ-ସୁଗଡ଼ବାଡ଼ି ମଧ୍ୟରେ ଯାତାୟାତ ବନ୍ଦ, ବିପଦସଙ୍କୁଳ ଭାବେ ନାଳ ପାର ହେଉଛନ୍ତି ଛାତ୍ରୀଛାତ୍ର

ରାଇକିଆ, ୧୪।୮(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ରାଇକିଆ ବ୍ଲକ କାଲିଗାଡୁ-ସୁଗଡବାଡି ରାସ୍ତାରେ ଏକ ସପ୍ତାହ ହେଲା ଯାତାୟାତ ବନ୍ଦ ରହିଛି। ଲଗାଣ ବର୍ଷା ଯୋଗୁଁ କାଲିଗାଡୁ ନାଳରେ ପ୍ରବଳ ବର୍ଷା ପାଣି ପ୍ରବାହିତ ହେବା ଫଳରେ ସେଠାରେ ଥିବା ନିର୍ମାଣଧୀନ ପୋଲର ଉଭୟ ପାଶର୍‌ବର ଆପ୍ରୋଚ୍‌ ରୋଡ୍‌ ସମ୍ପୂର୍ଣ୍ଣ ଧୋଇ ଯାଇଥିଲା। ଫଳରେ କାଲିଗାଡୁ ସମେତ ସନ୍ଦରେଜୁ, ନାଉଡ଼ିମାହାକୁ ଯାତାୟାତ ହୋଇପାରୁନାହିଁ। ଛାତ୍ରୀଛାତ୍ରମାନେ ବିପଦସଙ୍କୁଳ ଭାବେ ନାଳ ପାର ହୋଇ ବିଦ୍ୟାଳୟକୁ ଯାଉଛନ୍ତି। ପୋଲ ଆରପଟେ ଥିବା ଚାଷ ଜମିକୁ ମଧ୍ୟ ଚାଷୀ ଯାଇପାରୁନାହାନ୍ତି। ଅମଳ ହୋଇ ଥିବା ପନିପରିବା ବଜାରକୁ ବିକ୍ରି ପାଇଁ ଆଣି ପାରୁନାହାନ୍ତି। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ କହିଛନ୍ତି, ପୋଲର ଉଭୟ ପାଶର୍‌ବରେ ସାମୟିକ ଭାବେ ମାଟି ପକାଯାଇ ରାସ୍ତା ନିର୍ମାଣ କରାଯିବ। ବର୍ଷା ଛାଡିଲା ପରେ ଦୁଇ ପାଶର୍‌ବରେ ଗାଡୱାଲ କରାଯାଇ ସ୍ଥାୟୀ ରାସ୍ତା ନିର୍ମାଣ କରାଯିବ ।