ଲଗାଣ ବର୍ଷାରେ ଢେଙ୍କାନାଳ ବେହାଲ

ଢେଙ୍କାନାଳ ଅଫିସ,୨୪ା୧୦-ଢେଙ୍କାନାଳ ଜିଲାରେ ଗତ ଦୁଇଦିନ ଧରି ଲଗାଣବର୍ଷା ଜାରି ରହିଛି। ଫଳରେ ବିଭିନ୍ନ ଅଞ୍ଚଳ ଜଳମୟ ହୋଇପଡିଛି। ବୁଧବାର ଜିଲାରେ ୩୦୪.୩ ମିିଲିମିଟର ବର୍ଷା ହୋଇଥିବାବେଳେ ହିନ୍ଦୋଳରେ ସର୍ବାଧିକ ୬୬.୨ ମିଲିମିଟର ବର୍ଷା ହୋଇଛି। ସେହିପରି ଗୁରୁବାର ସକାଳ ସାଢେ ୮ଟାରୁ ଅପରାହ୍ନ ୫ଟା ମଧ୍ୟରେ ଜିଲାରେ ମୋଟ ୩୯୫.୭ ମିଲିମିଟର ବର୍ଷା ହୋଇଛି। ତନ୍ମଧ୍ୟରେ ଢେଙ୍କାନାଳ ସଦର ବ୍ଲକ ଓ ପୌରାଞ୍ଚଳରେ ସର୍ବାଧିକ ୭୮.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗଁଦିଆରେ ୫୬, ଓଡାପଡାରେ ୫୭, ହିନ୍ଦୋଳ ବ୍ଲକ ଓ ଏନ୍‌ଏସିରେ ୬୨, କାମାକ୍ଷାନଗର ବ୍ଲକ ଓ ଏନ୍‌ଏସିରେ ୩୧.୩, ଭୁବନ ବ୍ଲକ ଓ ଏନ୍‌ଏସିରେ ୫୩, ପରଜଙ୍ଗରେ ୩୧ ଓ କଙ୍କଡାହାଡରେ ୨୬.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜିଲା ଏବଂ ସହରରେ ଥିବା ସମସ୍ତ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ଗୁଡିକ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବନ୍ଦ ରହିଥିବା ଜରୁରୀ ଓ ଆପାତ୍ତକାଳିନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର ସୂଚନା ଦେଇଛନ୍ତି। ସେହିପରି ବର୍ଷା ଯୋଗୁ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଯାଇଥିବା କଂକ୍ରିଟ ରାସ୍ତା, ଗୋପବନ୍ଧୁ ବଜାରସ୍ଥିତ ସହରର ପ୍ରମୁଖ ରାସ୍ତା ଏବଂ ବିଭିନ୍ନ ଅଞ୍ଚଳ ଜଳମୟ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ଲକ୍ଷ୍ମୀପୂଜା ଅବସରରେ ଢେଙ୍କାନାଳକୁ ବ୍ୟବସାୟ ପାଇଁ ଆସିଥିବା ଉଠା ଦୋକାନୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା।
ଫଟୋ-