ଲକ୍‌ଡାଉନ ସମୟରେ ଲଣ୍ଡା ହୋଇ କାହିଁକି ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରୁଛନ୍ତି ଲୋକେ

ନୂଆଦିଲ୍ଲୀ,୧୯।୪: ବର୍ତ୍ତମାନ କରୋନା ଭାଇରସକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଅଧିକାଂଶ ଲୋକେ ଘରେ ରହି ସମୟ କାଟୁଛନ୍ତି। ବିଶେଷ ଭାବେ ପୁରୁଷମାନେ ଏହି ସମୟରେ ନୂଆ ନୂଆ ଚ୍ୟାଲେଞ୍ଚ ନେଇ ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଥିବା ଦେଖାଯାଇଛି। କେତେଜଣ ରୋଷେଇକୁ ନେଇ ଫଟୋ ଶେୟାର କରୁଥିବା ବେଳେ ଏବେ କିନ୍ତୁ ଅଧିକାଂଶ ପୁରୁଷ ଲଣ୍ଡା ହୋଇ ସେମାନଙ୍କ ଫଟୋ ଶେୟାର କରୁଛନ୍ତି। କେବଳ ଯୁବକ ନୁହେଁ ୪୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ପୁରୁଷଙ୍କୁ ମଧ୍ୟ ଏପରି କରୁଥିବାର ଦେଖାଯାଇଛି। ଏ ସର୍ମ୍ପକରେ ମନୋବିଜ୍ଞାନୀଙ୍କ କହିବା କଥା ହେଲା ଏହାର ବିଭିନ୍ନ କାରଣ ରହିଛି। ତେବେ କେତେଜଣ ପୂର୍ବରୁ ଲଣ୍ଡା ହେବାକୁ ଇଚ୍ଛା ରଖିଥିଲେ ବି କୌଣସି କାରଣ ବଶତଃ ଏହା କରି ନ ପାରି ଥିବା ବେଳେ ଲକ୍‌ଡାଉନ୍‌ ତାଙ୍କୁ ସୁଯୋଗ ଦେଇଛି ବୋଲି କହିଛନ୍ତି। ଏକଥାକୁ ମଧ୍ୟ କେତେଜଣ ଯୁବକ ସ୍ବୀକାର କରିଛନ୍ତି। ଅନ୍ୟ ମତରେ ଏପରି ଚ୍ୟାଲେଞ୍ଚ ସେତିକି ବେଳେ ନିଆଯାଏ ଯେତେବେଳେ ଜଣେ ବ୍ୟକ୍ତି ବନ୍ଧୁ ପରିଜନଙ୍କଠାରୁ ଦୂରରେ ରହି ଏମିତି କିଛି କରିବାର ଇଚ୍ଛା ପ୍ରକାଶ କରିଥାଏ। ଆଉ କେତେଜଣ କୁହନ୍ତି କରୋନାକୁ ନେଇ ସୁରକ୍ଷା ଦୃଷ୍ଟିରୁ ବାହାରେ ଯାଇ କେଶ କାଟିବା ଅପେକ୍ଷା ଏବେ ଘରେ ବସି ଲଣ୍ଡା ହୋଇଗଲେ ପୁଣି ଯେତେବେଳେ କର୍ମକ୍ଷେତ୍ରକୁ ବାହାରିବୁ ସେତେବେଳେକୁ ପୁଣି କେଶ ଉଠିଯାଇଥିବ। ସେ ଯାହାବି ହେଉ କରୋନାକୁ ନେଇ ଲକ୍‌ଡାଉନ୍‌ ଚାଲିଥିବା ବେଳେ ପୁରୁଷମାନଙ୍କ ଲଣ୍ଡା ମୁଣ୍ଡ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଛି।

Share