ଲକ୍‌ଡାଉନ ବଢ଼ିଲେ ଅଧିକାଂଶ ମୃତ୍ୟୁ ଭୋକରେ ହେବ: ନାରାୟଣମୂର୍ତ୍ତି

ନୂଆଦିଲ୍ଲୀ,୧।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାର ଅବଧି ମେ’ ୩କୁ ଶେଷ ହେବାକୁ ଥିବା ବେଳେ ଦେଶରେ ଲକ୍‌ଡାଉନକୁ ଆହୁରି ବୃଦ୍ଧି କରାଯିବାକୁ ନେଇ ଚର୍ଚ୍ଚା ଚାଲିଛି। ଏହି ଆଶଙ୍କା ମଧ୍ୟରେ ଦେଶର ପ୍ରତିଷ୍ଠିତ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ଏନ୍‌ ନାରାୟଣମୂର୍ତ୍ତିଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି। ଯଦି ମେ’୩ ପରେ ବି ଦେଶରେ ଲକ୍‌ଡାଉନ ଜାରି ରୁହେ ତେବେ କରୋନା ଭାଇରସ୍‌ ଅପେକ୍ଷା ଅଧିକାଂଶ ମୃତ୍ୟୁ ଭୋକରେ ହେବ ବୋଲି ସେ କହିଛନ୍ତି। ତେଣୁ ସରକାର ବାସ୍ତବିକ ଭାବେ ଚିନ୍ତା କରନ୍ତୁ ବୋଲି ନାରାୟଣମୂର୍ତ୍ତି ପରାମର୍ଶ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଆମକୁ ବୁଝିବାକୁ ପଡ଼ିବ ଯେ, ଭାରତ ଦୀର୍ଘ ଦିନ ଧରି ଲକ୍‌ଡାଉନ ପରିସ୍ଥିତିକୁ ସହ୍ୟ କରିପାରିବ ନାହିଁ। ଯଦି ଏହି ଲକ୍‌ଡାଉନ ଆଗକୁ ବୃଦ୍ଧି କରାଯାଏ ତେବେ ଏପରି ଏକ ସମୟ ଆସିବ ଯେତେବେଳେ କରୋନାଠାରୁ ଅଧିକ ମୃତ୍ୟୁ ଲୋକଙ୍କର ଭୋକରେ ହେବ। ପ୍ରତିବର୍ଷ ୯୦ଲକ୍ଷ ଲୋକଙ୍କ ମୃତ୍ୟୁ ବିଭିନ୍ନ କାରଣରୁ ହୋଇଥାଏ। ଯଦି ୯୦ ଲକ୍ଷ ଲୋକଙ୍କ ମୃତ୍ୟୁର ତୁଳନା ଗତ ଦୁଇମାସ ମଧ୍ୟରେ ହୋଇଥିବା ମୃତ୍ୟୁ ସହ କରାଯାଏ, ତେବେ ଏହି ପରିସ୍ଥିତି ଭୟାନକ ନୁହେଁ ବୋଲି ମନେହେବ। ତେଣୁ ଏହି କରୋନା ଭାଇରସ୍‌କୁ ସାମାନ୍ୟ ସ୍ଥିତି ଭଳି ଗ୍ରହଣ କରିବାକୁ ପଡ଼ିବ ବୋଲି ନାରାୟଣମୂର୍ତ୍ତି କହିଛନ୍ତି।

Share