ଲକ୍‌ଡାଉନ ଖୋଲିବା ପରେ ପୁଣି ଫେରିଲା କରୋନା: ଚାଇନାରେ ୧୮ ନୂଆ ସଂକ୍ରମିତ ଚିହ୍ନଟ

ବେଜିଂ,୨୨।୬: କରୋନା ମହାମାରୀ ସାରା ବିଶ୍ୱରେ ତା’ର ଉପସ୍ଥିତି ଜାହିର କରି ସାରିଥିବା ବେଳେ କିଛି ଦେଶରେ ଏହା ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଗତ ଡିସେମ୍ବରରୁ ପ୍ରଥମ କରି ଚାଇନାରେ ଦେଖାଦେଇଥିବା ଏହି ଭାଇରସ ଧୀରେ ଧୀରେ ସାରା ବିଶ୍ୱକୁ ବ୍ୟାପି ଯାଇଛି। ସଂକ୍ରମଣକୁ ରୋକିବାକୁ ବିଶ୍ୱର ପ୍ରାୟ ଅଧିକାଂଶ ଦେଶରେ ସରକାର ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଯେତେବେଳେ ଏହାର ପ୍ରକୋପ କମ୍‌ ହୋଇଛି ସେତେବେଳେ ପୁଣିଥରେ କିଛି ଦେଶରେ ଲନ୍‌ଲକ୍‌ ଘୋଷଣା କରାଯିବା ସହ ସାଧାରଣ ଜୀବନ ଯାତ୍ରା ସ୍ବାଭାବିକ ହେବାରେ ଲାଗିଛି। ହେଲେ ଲନ୍‌ଲକ୍‌ ହୋଇଥିବା କିଛି ଦେଶରେ ଏବେ ପୁଣିଥରେ କରୋନା ଫେରିଥିବା ସେଠାକାର ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟି ଗଲାଣି। ଏହିସବୁ ଦେଶ ମଧ୍ୟରେ ରହିଛି ଅଷ୍ଟ୍ରେଲିଆ, ତୁର୍କୀ, ପାଲେଷ୍ଟାଇନ ଓ ଆଉ କିଛି ଦେଶ। ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ ମହମ୍ମଦ ଶତୟେଦ ପଶ୍ଚିମର ହବୋନରେ ପୁଣିଥରେ ଲକ୍‌ ଡାଉନ ଘୋଷଣା କରିଥିବା ଦେଖାଯାଇଛି। ହବୋନରେ ଶନିବାର ୧୦୩ ନୂଆ ପଜିଟିଭ ଚିହ୍ନଟ ହେବା ପରେ ଏହା ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ତେବେ ଗତ ମାର୍ଚ୍ଚ ମାସରୁ କରୋନା ସଂକ୍ରମଣ ମାମଲାରେ ଏହା ସର୍ବାଧିକ ବୋଲି କୁହାଯାଉଛି। ସେହିପରି ତୁର୍କିରେ ୨ ସପ୍ତାହର ଲକ୍‌ଡାଉନ କୋହଳ ପରେ ରାଷ୍ଟ୍ରପତି ପୁଣିଥରେ ଇସ୍ତାନବୁଲ, ଇଜମିର ଓ ବୁରସାରେ ପୁଣିଥରେ ୧୪ ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି। କାରଣ ଏଠାରେ ପ୍ରତିଦିନ ୧ ହଜାରରୁ ୧,୫୦୦ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି। ଅନ୍ୟପଟେ ଚାଇନାରୁ ଆରମ୍ଭ ହୋଇଥିବା କରୋନା ପୁଣିଥରେ ସେଠାକାର ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ସେଠାରେ ରବିବାର ରାତି ସୁଦ୍ଧା ୧୮ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡିଛି।

Share