ଲକ୍‌ଡାଉନ ଉଲଂଘନ, ୫୧ ଗାଡି ଜବତ

ବୌଦ୍ଧ, ୧୫ା୪(ସ୍ବ.ପ୍ର): ଲକଡାଉନ ନିୟମ ଅମାନିଆ ବାଇକ ଚାଳକଙ୍କୁ ସାବାଡ କରିବାକୁ ବୌଦ୍ଧ ପୋଲିସ ପକ୍ଷରୁ ଉଦ୍ୟମ ହୋଇଛି। ବୁଧବାର ପୋଲିସ ପକ୍ଷରୁ ବିଭିନ୍ନ ଛକରେ ଗାଡିମୋଟର ଯାଞ୍ଚ କରାଯିବା ସହିତ ୫୧ ଗୋଟି ବାଇକ୍‌ ଜବତ କରାଯାଇଛି। ଜବତ ଗାଡିଗୁଡିକୁ ଥାନାକୁ ନେଇ ୫୦୦ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଛି। ଏପରିକି ଜିଲା ପ୍ରଶାସନ ପକ୍ଷରୁ ପାସ୍‌ ପାଇ ବିନା କାମରେ ବୁଲୁଥିବା କେତେକଙ୍କ ଗାଡିକୁ ମଧ୍ୟ ପୋଲିସ କର୍ମଚାରୀ ଅଟକାଇ ଆରୋହୀଙ୍କୁ ତାଗିଦ କରାଯାଇଛି। ଥାନାରେ ଗାଡି ମାଲିକମାନେ ଭିଡ ଜମାଇଥିବାବେଳେ ପୋଲିସ ପକ୍ଷରୁ ସାମାଜିକ ଦୂରତାକୁ ମଧ୍ୟ ପାଳନ କରାଯାଇଛି।