Categories: ବାଣିଜ୍ୟ

ଲକ୍‌ଡାଉନ ଅବଧି ଏପ୍ରିଲ ୩୦କୁ ବଢୁ: ସିଏଆଇଟି

ନୂଆଦିଲ୍ଲୀ,୯।୪: କରୋନାର ବର୍ତ୍ତମାନ ସ୍ଥିତିକୁ ନଜରରେ ରଖି ଲକ୍‌ଡାଉନ ଅବଧି ଚଳିତ ମାସ ଶେଷ ଯାଏ ବଢାଇବାକୁ କନ୍‌ଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ ପକ୍ଷରୁ ସରକାରଙ୍କ ନିକଟରେ ଦାବି ରଖାଯାଇଛି। ଏ ନେଇ ସବୁ ରାଜ୍ୟର ବ୍ୟବସାୟୀଙ୍କ ସହ ସିଏଆଇଟି ଆଲୋଚନା କରିଥିବା କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂଘ ପକ୍ଷରୁ ଏ ପ୍ରସଙ୍ଗରେ ଚିଠି ଲେଖାଯାଇଛି। ଲକ୍‌ଡାଉନ ଅବଧି ବଢିଲେ ଏହା ଦ୍ୱାରା କରୋନା ପ୍ରଭାବକୁ କମ୍‌ କରାଯାଇ ପାରିବ ବୋଲି ସଂଘ ମତ ରଖିଛି। ସଂଘର ମହାସଚିବ ପ୍ରଭୀନ ଖଣ୍ଡେଲଓ୍ବାଲ କହିଛନ୍ତି ଯେ, କୋଭିଡ-୧୯ ମାନବ ସମାଜ ଲାଗି ଏକ ବଡ ଚ୍ୟାଲେଞ୍ଜ। ପ୍ରମୁଖ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ସହ ବିଶ୍ୱର ବିକଶିତ ରାଷ୍ଟ୍ରଗୁଡିକ କରୋନା କବଳରୁ ନିଜକୁ ବଞ୍ଚାଇ ପାରି ନାହାନ୍ତି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଲୋକମାନେ ସରକାରଙ୍କ ନିୟମ ମାନି ଚଳିଲେ ସ୍ଥିତିକୁ କାବୁ କରିବାରେ ସହଜ ହେବ। ସରକାରଙ୍କ ଏହି ଲଢେଇରେ ବ୍ୟବସାୟୀ ସଂଘ ପକ୍ଷରୁ ସମସ୍ତ ପ୍ରକାରର ଯୋଗଦାନ ରଖାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ସମୟରେ ବ୍ୟବସାୟୀମାନେ ସହିଥିବା କ୍ଷତିକୁ ମଧ୍ୟ ସରକାର ବିଚାର କରନ୍ତୁ ବୋଲି ସଂଘ ପକ୍ଷରୁ ନିବେଦନ କରାଯାଇଛି। ଏଥି ଲାଗି ଏକ ସ୍ବତନ୍ତ୍ର ପ୍ୟାକେଜ ଆସୁ ବୋଲି ଚିଠିରେ ସଂଘ ଦାବି ରଖିଛି।

Share