ଲକ୍‌ଡାଉନ୍‌ ହୋଇ ନ ଥିଲେ ଦେଶରେ ୪ ଲକ୍ଷରୁ ଅଧିକ ହୋଇଥାନ୍ତେ କରୋନା ସଂକ୍ରମିତ: ୩୪ ହଜାର ଟପିଥାନ୍ତା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଯଦି ଲକ୍‌ଡାଉନ୍‌ ଘୋଷଣା ହୋଇ ନ ଥାନ୍ତା, ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷରୁ ଅଧିକ ହୋଇଥାନ୍ତା। ସେହିପରି ମୃତକଙ୍କ ସଂଖ୍ୟା ୩୪ ହଜାର ଟପିଥାନ୍ତା। ଏନେଇ ମୁମ୍ବାଇର ଇଣ୍ଟରନ୍ୟାଶ୍‌ନାଲ୍‌ ଇନଷ୍ଟିଚ୍ୟୁଟ୍‌ ଫର୍‌ ପପୁଲେଶନ୍‌ ସାଇନ୍ସେସ୍‌(ଆଇଆଇପିଏସ୍‌) ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦେଶରେ ଲକ୍‌ଡାଉନ୍‌ ପୂର୍ବରୁ କରୋନା ସଂକ୍ରମଣ ହାର ୨.୫୬ ପ୍ରତିଶତ ରହିଥିଲା। ଲକ୍‌ଡାଉନ୍‌ ମଧ୍ୟଭାଗରେ ଏହା ୧.୫୬ ପ୍ରତିଶତ ରହିଥିଲା। ମେ ୪ ସୁଦ୍ଧା ସଂକ୍ରମଣ ହାର ୧.୧୬ ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଲକ୍‌ଡାଉନ୍‌ ଘୋଷଣା ନ ହୋଇଥିଲେ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୭୪ ହଜାର ୬୯୪ ହୋଇଥାନ୍ତା। ସେହିପରି ମୃତ୍ୟୁ ସଂଖ୍ୟା ୩୪ ହଜାର ୩୧୯ ଛୁଇଁଥାନ୍ତା। ଲକ୍‌ଡାଉନ୍‌ ଯୋଗୁ ଦେଶରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ଯଥେଷ୍ଟ କମ୍‌ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share