ଲକ୍‌ଡାଉନ୍‌: ସାହାଯ୍ୟକାରୀ ପୋଲିସଙ୍କ ନାମ ଅନୁସାରେ ପୁଅର ନାମ ରଖିଲେ ତମନ୍ନା

ବରେଲି,୨୭।୩: ଉତ୍ତରପ୍ରଦେଶ ବରେଲିରେ ତମନ୍ନା ଖାଁ ନାମକ ଜଣେ ୨୬ ବର୍ଷୀୟା ମହିଳା ଗୁରୁବାର ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ବେଳେ ପିଲାଟିର ନାଁ ରଖିଛନ୍ତି ରଣବୀଜୟ ଖାଁ। ତେବେ ଏହା ପଛର କାହାଣୀ ସମସ୍ତଙ୍କ ପାଇଁ ଏକ ଭିନ୍ନ ବାର୍ତ୍ତା ପ୍ରଦାନ କରିଛି। ଡାକ୍ତର ଦେଇଥିବା ସମୟ ଅନୁସାରେ ତମନ୍ନାଙ୍କ ପ୍ରସବ ୨୫ ମାର୍ଚ୍ଚରେ ହେବାର ଥିଲା। ସମୟ ପାଖେଇ ଆସଲା। ହେଲେ ତାଙ୍କ ସ୍ବାମୀ ନଏଡ଼ାରେ ଏମ୍ରୋଡୋରୀ ଓ୍ବାର୍କର ଭାବେ କାମ କରୁଥିବା ବେଳେ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ପରେ ସେ ଆଉ ନଏଡା ଫେରିପାରି ନ ଥିଲେ। ଅନ୍ୟପଟେ ତାଙ୍କ ଶାଶୁ ଘରେ ମଧ୍ୟ କେହି ନ ଥିଲେ ତାଙ୍କୁ ହସ୍ପିଟାଲ ନେବାପାଇଁ। ଏପଟେ ସମୟ ପାଖେଇ ଆସୁଥିବାରୁ ତମନ୍ନା କୌଣସି ଉପାୟ ନ ପାଇ ସୋସିଆଲ ମିଡିଆରେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଅନୁରୋଧ କରିଥିଲେ ତାଙ୍କ ସ୍ବାମୀଙ୍କୁ ତାଙ୍କ ନିକଟକୁ ପହଞ୍ଚାଇବାରେ ପ୍ରଶାସନ ସାହାଯ୍ୟ କରୁ। ଏହି ଭିଡ଼ିଓ ଦେଖିବା ପରେ ବରେଲିର ଏସ୍‌ଏସ୍‌ପି ଏକଥା ଏଡିସିପି ରଣବୀଜୟ ସିଂଙ୍କୁ ଜଣାଇଥିଲେ। ଏହାପରେ ନଏଡାରେ ଥିବା ତମନ୍ନାଙ୍କ ସ୍ବାମୀ ଅନିଶ ଖାଁଙ୍କୁ ଆଣି ବରେଲିରେ ପହଞ୍ଚାଇଥିଲା ପୋଲିସ। ଅନ୍ୟପଟେ ତମନ୍ନାଙ୍କ ପାଖରେ କେହି ନ ଥିବାରୁ ପୋଲିସ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ମଧ୍ୟ କରାଇ ଦେଇଥିଲେ। ଗୁରୁବାର ଭୋର ସମୟରେ ତମନ୍ନା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ସେ ତାର ନାମ ଏଡିସିପିଙ୍କ ନାଁ ଅନୁସାରେ ରଣବୀଜୟ ଖାଁ ରଖିବା ସହ ସମସ୍ତ ପୋଲିସଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share