ଲକ୍‌ଡାଉନ୍‌ ଯୋଗୁ ବଢୁଛି ଅବସାଦ: ସୃଷ୍ଟି ହେଉଛି ଆତ୍ମହତ୍ୟା ପ୍ରବୃତ୍ତି

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ପୃଥିବୀର ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଲୋକେ ବହୁ ଦିନ ଧରି ଘରେ ବନ୍ଦ ରହିଛନ୍ତି। ତେବେ ଏହାର ନକାରାତ୍ମକ ପ୍ରଭାବ ଧୀରେଧୀରେ ଲୋକଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ଆଗାମୀ ଦିନରେ ମାନସିକ ରୋଗୀଙ୍କ ବଢ଼ିବାର ଆଶଙ୍କା ଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଖାଦ୍ୟ, ଆର୍ଥିକ ସ୍ଥିତି ଏବଂ ଅନିଶ୍ଚିତତା ଯୋଗୁ ଲୋକେ ସମସ୍ୟାରେ ପଡୁଛନ୍ତି। କେତେକଙ୍କ ମଧ୍ୟରେ ଅବସାଦ ଦେଖାଦେବା ଆରମ୍ଭ କରିଥିବା ହରିୟାଣା ସ୍ବାସ୍ଥ୍ୟ ବିଭାଗର ମେଣ୍ଟାଲ ହେଲଥ୍‌ ଡିଭିଜନ ପକ୍ଷରୁ ପ୍ରକାଶିତ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅବସାଦ ଯୋଗୁ ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବୃତ୍ତି ସୃଷ୍ଟି ହେଉଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଏନେଇ ମେଣ୍ଟାଲ ହେଲଥ୍‌ ଡିଭିଜନ ପକ୍ଷରୁ ଲୋକଙ୍କୁ ସତର୍କ କରାଯିବା ସହିତ କିଭଳି ଅବସାଦରୁ ଦୂରେଇ ରହିହେବ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି। ୨୧୧ ଜଣ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏଥିପାଇଁ ହେଲପ୍‌ଲାଇନ୍‌ ନମ୍ବର ୧୦୫୭ ଜାରି କରାଯାଇଛି ବୋଲି ରାଜ୍ୟର ମେଣ୍ଟାଲ ହେଲଥ୍‌ ସର୍ଭିସ୍‌ ନିର୍ଦ୍ଦେଶକ ତଥା ପ୍ରୋଗ୍ରାମ୍‌ ଅଫିସର ଡ. ବୀଣା ସିଂ ସୂଚନା ଦେଇଛନ୍ତି। ହଠାତ୍‌ ପରିସ୍ଥିତିରେ ପରିବର୍ତ୍ତନ ଆସିଥିବାରୁ ବହୁ ଲୋକ ବିଚଳିତ ହୋଇପଡ଼ିଛନ୍ତି। ସେମାନେ ନିଜର ପୁରୁଣା ଚଳଣୀରେ ପରିବର୍ତ୍ତନ ଆଣିବାକୁ ସକ୍ଷମ ହୋଇ ପାରୁ ନାହାଁନ୍ତି। ସେହିପରି କେତେକ ରୋଜଗାର ହରାଇ ଘରେ ବସିଥିବାରୁ ସେମାନଙ୍କୁ ଭବିଷ୍ୟତ ଚିନ୍ତା ଘାରିଛି। ଏସବୁ ଯୋଗୁ ଲୋକଙ୍କ ମଧ୍ୟରେ ଅବସାଦ ସୃଷ୍ଟି ହେଉଥିବା ସେ କହିଛନ୍ତି।

Share