ଲକ୍‌ଡାଉନ୍‌ ମାନୁନାହାନ୍ତି ଲୋକେ: ପରିବା ମାର୍କେଟରେ ଭିଡ଼ ଅସମ୍ଭାଳ

ରଣପୁର, ୨୪।୩(ଡି.ଏନ୍‌.ଏ.): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୟାଗଡ଼ ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମଙ୍ଗଳବାର ଲକ୍‌ଡାଉନ୍‌ର ପ୍ରଥମ ଦିନରେ ରାଜସୁନାଖଳାର ବିଭିନ୍ନ ସ୍ଥାନରେ ଲୋକେ ପ୍ରଶାସନିକ ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ବିଶେଷକରି ପରିବା ମାର୍କେଟରେ ଭିଡ଼ ଅସମ୍ଭାଳ ହେଉଛି। ପୋଲିସ ଏବଂ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଜନସାଧାରଣଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଅନେକେ ବିଭିନ୍ନ ପ୍ରକାର ବାହାନା ଦେଖାଇ ରାସ୍ତାଘାଟରେ ବୁଲୁଛନ୍ତି। ପୋଲିସ ପକ୍ଷରୁ ପରିବା ମାର୍କେଟରେ ବ୍ୟବସାୟୀ ଓ ଗ୍ରାହକଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବା ଲାଗି ଦୀର୍ଘ ସମୟ ଧରି ସଚେତନ କରାଯାଉ ଥିଲେ ମଧ୍ୟ ଲୋକେ ଏଥିପ୍ରତି ସଚେତନ ହେଉ ନାହାନ୍ତି। ରବିବାର ଜନତା କର୍ଫ୍ୟୁକୁ ଯେଉଁଭଳି ଭାବେ ଅଞ୍ଚଳବାସୀ ସମର୍ଥନ କରିଥିଲେ ଲକ୍‌ଡାଉନ୍‌କୁ ସେଭଳି ସହଯୋଗ କରୁ ନ ଥିବା ଦେଖିବାକୁ ମିଳୁଛି।