ଲକ୍‌ଡାଉନ୍‌ ପ୍ରଭାବ: ଖୋର୍ଦ୍ଧା ସହରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ନାକାବନ୍ଦୀ

ଖୋର୍ଦ୍ଧା ଅଫିସ,୨୫।୩: କରୋନା(କୋଭିଡ୍‌-୧୯) ସଂକ୍ରମଣର ମୁକାବିଲା ଲାଗି ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଖୋର୍ଦ୍ଧା ଜିଲାର କେତେକ ସ୍ଥାନରେ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳୁଛି। ଆଉ କେତେକ ସ୍ଥାନରେ ବିନା କାରଣରେ ଲୋକେ ଗାଡ଼ି ଧରି ବୁଲୁଛନ୍ତି। ଏ ନେଇ ମଙ୍ଗଳବାର ପ୍ରଶାସନ ପକ୍ଷରୁ ବିନା କାରଣରେ ବୁଲୁଥିବା ୨ଚକିଆ ୩୨ ଓ ୪ଚକିଆ ୪ଟି ଯାନକୁ ଜବତ କରାଯାଇଥିଲା। ସମସ୍ତ ଯାନରୁ ଆର୍‌ଟିଓ ପକ୍ଷରୁ ୫୩,୫୦୦ଟଙ୍କା ଜରିମାନା ଆଦାୟ ହୋଇଥିଲା। ସହରରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପନିପରିବା, ମାଛ, ମାଂସ ଓ ଅଣ୍ଡା ସମେତ ପେଟ୍ରୋଲ ପମ୍ପ୍‌, ବ୍ୟାଙ୍କ, ଔଷଧ, ଓମ୍‌ଫେଡ୍‌ କାଉଣ୍ଟର ଆଦି ଖୋଲା ରହିଥିବା ବେଳେ ଶପିଂ ମଲ୍‌, ହୋଟେଲ, ଅଟୋମୋବାଇଲ ଦୋକାନ ଆଦିରେ ତାଲା ଝୁଲୁଛି। ସହରକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ନାକାବନ୍ଦୀ କରାଯାଇଥିବା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି। ଅଯଥା ସହରରେ ଗହଳି ନ କରି ଘରେ ରହିବା ଲାଗି ଜନତାଙ୍କୁ ଅନୁରୋଧ କରାଯାଉଛି। ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି।