ଲକ୍‌ଡାଉନ୍‌ ପରେ ସାମାଜିକ ଦୂରତ୍ୱକୁ ଗରୁତ୍ୱ: ଦୁର୍ଗମ ଅଞ୍ଚଳରେ ଦିନ ମଜୁରିଆ ପ୍ରଭାବିତ

ଦାରିଙ୍ଗବାଡ଼ି,୨୬।୩(ଡି.ଏନ୍‌.ଏ.): ସାରା ଭାରତବର୍ଷରେ କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଫଳରେ ରାଜ୍ୟର ସମସ୍ତ ଜିଲାକୁ ଲକ୍‌ଡାଉନ୍‌ କରାଯାଇଛି। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅଞ୍ଚଳରେ ଲକ୍‌ଡାଉନ୍‌ ପ୍ରଭାବ ଦେଖିବାକୁ ମିଳିଛି। ଧାର୍ଯ୍ୟ ହୋଇଥିବା ସକାଳ ୭ରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଜନସାଧାରଣ ବଜାରକୁ ଆସି ଅତ୍ୟାବଶ୍ୟକ ସାମଗ୍ରୀ କିଣି ଘରକୁ ଫେରୁଛନ୍ତି। ଜିଲାରେ ସକାଳୁ ୧୧ଟା ପର୍ଯ୍ୟନ୍ତ କିଣାବିକା କରିବା ପାଇଁ ଅନୁମତି ମିଳିଥିବା ବେଳେ ଏହାପରେ ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି। ଅତି ଜରୁରୀ ନ ଥିଲେ ଲୋକେ ଘରୁ ପଦାକୁ ବାହାରୁ ନାହାନ୍ତି। ରାଶନ ଏବଂ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ କିଛି ବ୍ୟବସାୟୀ ନିଜ ଇଚ୍ଛାରେ ଦୋକାନ ସମ୍ମୁଖରେ ଗୋଲେଇ ଚିହ୍ନ କରି ସେହି ଗୋଲେଇ ଭିତରେ ରହି ସାମଗ୍ରୀ କିଣିବାକୁ ପରାମର୍ଶ ଦେଉଛନ୍ତି । ଜଣେ ପରେ ଜଣେ ଏହି ଗୋଲେଇରେ ଠିଆ ହୋଇ ସାମଗ୍ରୀ କିଣୁଛନ୍ତି। ଫଳରେ ସଂକ୍ରମଣକୁ ଦୂରେଇ ଦିଆଯାଇ ପାରିବ। ଅନ୍ୟପକ୍ଷରେ ଅଯଥାରେ କେହି ବାହାରକୁ ନ ବାହାରି ଘରେ ରହିବାକୁ ସ୍ଥାନୀୟ ପୋଲିସ ପକ୍ଷରୁ ନିବେଦନ କରାଯାଇଛି।