ଲକ୍‌ଡାଉନ୍‌ ପରେ ବି ଚାଲି ଚାଲି ଘରକୁ ଫେରିବାକୁ ଚାହୁଁଛନ୍ତି ଲୋକେ

ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣକୁ ରୋକିବାକୁ ସାରା ବିଶ୍ୱ ଏକ ପ୍ରକାର ଲକ୍‌ ଡାଉନ୍‌ ହୋଇଯାଇଛି। ଭାରତ ଏବେ ଏହି ଲକ୍‌ଡାଉନ୍‌ ମାଧ୍ୟମରେ କରୋନା ସହ ଲଢି ପାରିବ ବୋଲି ଆଲୋଚନା ହେଉଥିବା ବେଳେ ଅନ୍ୟପଟେ ବାହାର ରାଜ୍ୟରେ ଥିବା ଦିନ ମଜୁରିଆ କୌଣସି ମତେ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି। କାରଣ ବାହାର ରାଜ୍ୟରେ ସେମାନଙ୍କୁ ଖାଦ୍ୟପାନୀୟ ମିଳିବାରେ ସମସ୍ୟା ଉପୁଜୁଥିବା ଦର୍ଶାଇ ସେମାନେ ଘରକୁ ଫେରିବାକୁ ଚାହୁଛନ୍ତି। ଶନିବାର ଲକ୍‌ଡାଉନକୁ ୪ଦିନ ହୋଇଥିବା ବେଳେ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଜଣେ କରୋନା ପଜିଟିଭ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ହେଲେ ଏଠାରେ ଥିବା ଶ୍ରମିକମାନେ ଦିଲ୍ଲୀ ଛାଡି ଚାଲି ଆସିବାକୁ ଚାହୁଁଥିବା ବେଳେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଶନିବାର ସେମାନଙ୍କ ପାଖକୁ ଯାଇ ଦିଲ୍ଲୀ ବାହାରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି। ଏହାସହ ସେମାନଙ୍କ ପାଇଁ ସମସ୍ତ ସୁବିଧା କରାଯିବ ବୋଲି ମଧ୍ୟ ସିସୋଡିଆ କହିଛନ୍ତି। ସେପଟେ ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାନେ ଲକ୍‌ଡାଉନକୁ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ଏଠାରେ ମଧ୍ୟ ଶତାଧିକ ଲୋକ ନିଜ ନିଜ ଘରକୁ ଫେରିବାକୁ ରୁଣ୍ଡ ହୋଇଥିବା ଦେଖାଯାଇଛି।

Share