ଲକ୍‌ଡାଉନ୍‌ ଦେଲା ନିଖୋଜ ପୁଅର ଠିକଣା

ନବରଙ୍ଗପୁର,୬ା୫(ବି.ପ୍ର.)- ଲକ୍‌ଡାଉନ୍‌ ସମୟରେ ମା’ ବାପାଙ୍କୁ ମିଳିଲା ଖୁସି ଖବର। ୧୫ ବର୍ଷ ହେଲା ନିଖୋଜ ବୋଲି ଭାବୁଥିବା ପୁଅର ଠିକଣା ପାଇଛନ୍ତି। ପୁଅର ପତ୍ତା ପାଇବା ପରେ ମା’, ବାପାଙ୍କ ମନରେ ଖୁସିର ଲହରି ଖେଳି ଯାଇଛି। ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଅଧୀନ ଦେଓବନ୍ଧ ଗାଁର ଧନବଳୀ ମାଝୀଙ୍କ ପୁଅ ଭୁବନ ଗତ ୧୫ ବର୍ଷ ତଳେ ୭ ଜଣ ସାଙ୍ଗଙ୍କ ସହ ଅହମଦାବାଦ ଯାଇଥିଲେ। ସାଙ୍ଗମାନେ ଗାଁକୁ ଫେରିଥିଲେ। କିନ୍ତୁ ଭୁବନ ଘରକୁ ଫେରି ନ ଥିଲେ । ଏପରିକି ପରିବାର ଲୋକଙ୍କ ସହ ମଧ୍ୟ ଯୋଗାଯୋଗ କରି ନ ଥିଲେ। ତେବେ ଦୀର୍ଘ ୧୫ ବର୍ଷ ପରେ ଏମପି ରମେଶ ଚନ୍ଦ୍ର ମାଝିଙ୍କ ମୋବାଇଲ ନମ୍ବର ପାଇ ଭୁବନ ଭିଡିଓ କଲିଂ ମାଧ୍ୟମରେ କଥା ହୋଇଥିଲେ। ଏହା ପରେ ପରିବାର ଲୋକ ତାଙ୍କ ଠିକଣା ଜାଣି ପାରିଥିଲେ। ଲକ୍‌ଡାଉନ ପରିସ୍ଥିତିରେ ଭୁବନ କିଭଳି ରହିଛନ୍ତି ତାହା ପରିବାର ଲୋକଙ୍କୁ ଚିନ୍ତା ଘାରିଥିଲା। ନବରଙ୍ଗପୁରର ତରୁଣ ଷଡଙ୍ଗୀ ଏକ ମଲ୍ଟିନ୍ୟାଶନାଲ ଫାର୍ମା କମ୍ପାନୀରେ ଆସିଷ୍ଟାଣ୍ଡ ମ୍ୟାନେଜର ଭାବେ କାମ କରି ଅହମଦାବାଦର ନୀଳମଣି ନଗର ସିଟିଏମରେ ରହୁୁଛନ୍ତି। ତାଙ୍କୁ ଭୁବନଙ୍କ ସମ୍ପର୍କରେ ଖବର ନେବା ପାଇଁ ଏମପି କହିଥିଲେ। ସେ ଭୁବନଙ୍କ ସହ ଯୋଗାଯୋଗ କରିଥିଲେ। ସିଟିଏମର ୫ କିମି ଦୂର ବଟୱା ଜିଆଇଡିସି ଠାରେ ଥିବା ଏକ କେମିକାଲ ଫାର୍ମରେ ଭୁବନ କାମ କରୁଥିବା ଜାଣିବାକୁ ପାଇଥିଲେ। କମ୍ପାନୀ ପକ୍ଷରୁ ରହିବା ଓ ଖାଇବା ବ୍ୟବସ୍ଥା ସହ ଦରମା ମିଳୁଥିବା ଭୁବନ କହିଥିଲେ। ସେ ଭଲରେ ଥିବା ତରୁଣ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ଲକ୍‌ଡାଉନ୍‌ ପରେ ଘରକୁ ଯିବେ ବୋଲି ସେ କହିଥିଲେ। ଏବେ ଭୁବନ ପରିବାର ଲୋକଙ୍କ ମୋବାଇଲ ନମ୍ବର ପାଇବା ପରେ ନିୟମିତ ସେମାନଙ୍କ ସହ କଥାବାର୍ତ୍ତ ମଧ୍ୟ ହୋଇ ପାରୁଛନ୍ତିି। ତେବେ ୧୫ ବର୍ଷ ତଳେ ଚନ୍ଦାହାଣ୍ଡିକୁ ମୋବାଇଲ ନେଟୱର୍କ ଓ ମୋବାଇଲ ପ୍ରଚଳନ ନ ଥିବାରୁ ସୁଦୂରରୁ ସେ ଆଉ କଥା ହୋଇ ପାରୁ ନ ଥିଲେ। ଏବେ ମା’ ବାପାଙ୍କ ସହ ଭିଡିଓ କଲିଂ ମାଧ୍ୟମରେ କଥା ହୋଇ ବେଶ୍‌ ଖୁସିରେ ରହିଛନ୍ତିି।