ଲକ୍‌ଡାଉନ୍‌ କଟକଣାକୁ ନେଇ ଚାଷୀ ଆତଙ୍କିତ: ପରିବା ବିକ୍ରି ନ ହେବା ଭୟ ଦେଖାଇ ଶସ୍ତା ଦରରେ କିଣୁଛନ୍ତି ଦଲାଲ

ବାଲେଶ୍ୱର ଅଫିସ,୨୬।୩: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ବାଇଗଣବାଡ଼ିଆର ଚାଷୀମାନେ କରୋନା କଟକଣା ଲାଗି ଚିନ୍ତାରେ। ସେମାନଙ୍କ କହିବା ଅନୁଯାୟୀ, ସେମାନେ ଚାଷ କରୁଥିବା ପନିପରିବା । ଭୁବନେଶ୍ୱର, କଟକ, ପୁରୀ, ବାଲେଶ୍ୱର ସମେତ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳକୁ ଯାଇଥାଏ। ତେବେ କରୋନା କଟକଣା ଯୋଗୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ବାହାରକୁ ପନିପରିବା ଯାଇପାରୁ ନାହିଁ। ଏପରି ସ୍ଥଳେ ଚାଷୀ ସ୍ଥାନୀୟ ବଜାର କିମ୍ବା ସାପ୍ତାହିକ ହାଟରେ ପରିବା ବିକିବା ପାଇଁ ନିର୍ଭର କରୁଥିବା ବେଳେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ସେମାନେ ବଜାର ଓ ସାପ୍ତାହିକ ହାଟକୁ ମଧ୍ୟ ଯାଇପାରୁ ନାହିଁ। ଏହି କାରଣରୁ ଜଳେଶ୍ୱର ଅଞ୍ଚଳରେ ହଜାର ହଜାର ହେକ୍ଟର ଜମିରେ ଚାଷ ହୋଇଥିବା ପନିପରିବାକୁ ନେଇ ଚାଷୀ ଚିନ୍ତାରେ ରହିଛି। ବିକ୍ରି ନ ହେବା ଭୟରେ ଚାଷୀ ପରିବା ତୋଳୁ ନ ଥିବା ବେଳେ କିଛି ଦଲାଲ ଚାଷୀଙ୍କ ଘରେ ପହଞ୍ଚି ପରିବା ବିକ୍ରି ନ ହେବାର ଭୟ ଦେଖାଇ ସେମାନଙ୍କୁ ପ୍ରଭାବିତ କରି ଶସ୍ତା ଦରରେ ପରିବା କିଣୁଛନ୍ତି। ଫଳ ଉତ୍ପାଦନର ଉପଯୁକ୍ତ ମୂଲ୍ୟ ପାଉ ନ ଥିବା ଚାଷୀ ଅଭିଯୋଗ କରିଛନ୍ତି।