ଗ୍ରାମଦେବତା ଭାବେ ପୂଜାପାଏ ବାଦୁଡ଼ି

ପାଟଣା, ୨୭ା୩- ପ୍ରାୟତଃ ଲୋକମାନେ ବାଦୁଡ଼ିକୁ ନିଶାଚର ସହ ତୁଳନା କରିବା ସହିତ ଏହାକୁ ଅଶୁଭ ବୋଲି ମାନିଥାନ୍ତି। କେରଳରେ କିଛି ବର୍ଷ ପୂର୍ବେ ବାଦୁଡ଼ିରୁ ନିପାହ ଭାଇରସ୍‌ ବାହାରିଥିଲା। ଏଥିରେ ବହୁ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଅନେକଙ୍କର ମୃତ୍ୟୁ ହୋଇଥିଲା। ସମ୍ପ୍ରତିି ଚାଇନାରୁ ସୃଷ୍ଟି କରୋନା ଭାଇରସ୍‌ ବି ବାଦୁଡ଼ିରୁ ହିଁ ସୃଷ୍ଟି ହୋଇଥିବା କୁହାଯାଉଛି। ତେବେ ଭାରତରେ ଏଭଳି ଗାଁ ରହିଛି, ଯେଉଁଠି ଲୋକମାନେ ବାଦୁଡ଼ିକୁ ଗ୍ରାମଦେବତା ଭାବେ ପୂଜା କରିଥାନ୍ତି। ଗ୍ରାମଦେବତା ହିଁ ସେମାନଙ୍କୁ ବହୁ ବିପଦ ଆପଦରୁ ଉଦ୍ଧାର କରିଥାନ୍ତି ବୋଲି ଗ୍ରାମବାସୀଙ୍କ ମଧ୍ୟରେ ବିଶ୍ୱାସ ରହିଛି। ବିହାରର ବୈଶାଳୀ ଜିଲାରେ ଏଭଳି ଏକ ମନ୍ଦିର ରହିଛି, ଯେଉଁଠି ଲୋକମାନେ ବାଦୁଡ଼ିକୁ ପୂଜିଥାନ୍ତି। ଏଠାକାର ଲୋକେ ବାଦୁଡ଼ିକୁ ଧନସମ୍ପତ୍ତିର ପ୍ରତୀକ ଭାବେ ମାନିଥାନ୍ତି। ଯେଉଁଠାରେ ବାଦୁଡ଼ି ରୁହେ, ସେଠାରେ କେବେ ଧନସମ୍ପତ୍ତିର ଅଭାବ ରୁହେନି ବୋଲି ସେଠାକାର ଲୋକଙ୍କ ମନରେ ବିଶ୍ୱାସ ରହିଛି। ବୈଶାଳୀ ଜିଲାର ରାମପୁର ରତ୍ନାଗର ଗ୍ରାମରେ ହଜାର ହଜାର ବାଦୁଡ଼ି ବସା ରହିଛି। ବାଦୁଡ଼ି ପାଇଁ ସେହି ଗ୍ରାମ ପ୍ରସିଦ୍ଧି ଲାଭ କରିଛି। ବାଦୁଡ଼ିଙ୍କୁ ଦେଖିବାକୁ ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ଅନ୍ୟପଟେ ସାରା ବିଶ୍ୱରେ ମହାମାରୀ ରୂପ ନେଇଥିବା କରୋନା ବାଦୁଡ଼ିରୁ ସୃଷ୍ଟି ହୋଇଥିବା କୁହାଯାଉଥିବା ବେଳେ ଏଠାକାର ଲୋକଙ୍କ ମତ ଭିନ୍ନ। ବୈଶାଳୀ ଜିଲାର କେତେଜଣ ବରିଷ୍ଠ ଲୋକଙ୍କ କହିବା ଅନୁସାରେ, ହଜାର ହଜାର ବର୍ଷ ପୂର୍ବେ ସେଠାରେ ମହାମାରୀ ଦେଖାଦେଇଥିଲା। ସେହି ସମୟରୁ ଏଠାରେ ଶହ ଶହ ବାଦୁଡ଼ି ଆସି ବସା କରିଥିଲେ। ସେବେଠାରୁ ଆଉ ମହାମାରୀ ଦେଖାଯାଉ ନ ଥିବା ଲୋକମାନେ କହିଛନ୍ତି।

Share