ଲକ୍‌ଡାଉନ୍‌ ଉଠିଲେ ତାରକା ଆଥ୍‌ଲେଟଙ୍କ ଟ୍ରେନିଂ ଆରମ୍ଭ ହେବ: ରିଜିଜୁ

ନୂଆଦିଲ୍ଲୀ,୧୧।୫(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଚାଲିଥିବା ଲକ୍‌ଡାଉନ୍‌ ଉଠାଇ ଦିଆଗଲେ ତାରକା ତଥା ଆଗଧାଡିର ଆଥ୍‌ଲେଟମାନେ ସେମାନଙ୍କ ଟ୍ରେନିଂ ଆରମ୍ଭ କରିପାରିବେ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ତେଣୁ କ୍ରୀଡ଼ାବିତ୍‌ ଓ କ୍ରୀଡ଼ା ସହିତ ଜଡିତ ରହିଥିବା ବ୍ୟକ୍ତିମାନଙ୍କୁ ଧୈର୍ଯ୍ୟ ଧରିବାକୁ ସେ ପରାମର୍ଶ ଦେଇଛନ୍ତି।
ଆଥ୍‌ଲେଟଙ୍କ ସ୍ବାସ୍ଥ୍ୟକୁ ପ୍ରାଥମିକଭାବେ ଗୁରୁତ୍ୱ ଦିଆଯିବ ବୋଲି ତାଙ୍କ ପୁରୁଣା କଥାକୁ ସେ ଦୋହରାଇଛନ୍ତି। ମେ ୧୭ ତାରିଖରେ ଲକ୍‌ଡାଉନ୍‌ ଶେଷ ହେବ। କରୋନା ଭାଇରସ ସଂକ୍ରମଣ ମାମଲା ବୃଦ୍ଧି ହେବାରୁ ଲକ୍‌ଡାଉନ୍‌କୁ ଦୁଇଥର ବୃଦ୍ଧି କରାଯାଇଥିଲା।
ଆଗଧାଡିର ଆଥ୍‌ଲେଟଙ୍କ ଟ୍ରେନି ଆରମ୍ଭ ହେବା ପରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଟ୍ରେନିଂ ସେଣ୍ଟରରେ ଅନ୍ୟ ଆଥ୍‌ଲେଟମାନେ ମଧ୍ୟ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ଆରମ୍ଭ କରିପାରିବେ। ତେବେ ଏ ନେଇ ଅତ୍ୟଧିକ ଉତ୍ସାହିତ ହୋଇ ତରବର ନ ହେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଶ୍ରେଷ୍ଠ ଆଥଲେଟ୍‌ମାନଙ୍କର ଟ୍ରେନିଂ ପ୍ରଥମେ ଆରମ୍ଭ କରାଯିବ। ମାର୍ଚ୍ଚ ମଧ୍ୟଭାଗରୁ ସାଇ ସେଣ୍ଟରଗୁଡିକରେ କରୋନା ଭାଇରସ ସଂକ୍ରମଣ କାରଣରୁ ଜାତୀୟ କ୍ୟାମ୍ପଗୁଡିକ ବନ୍ଦ କରିଦିଆଯାଇଥିଲା। ଏହି ମହାମାରୀ କାରଣରୁ ଭାରତରେ ଏବେ ୨,୦୦୦ ଲୋକ ମୃତ୍ୟୁବରଣ କରିଥିବା ବେଳେ ୫୬, ୦୦୦ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି।
ପୂର୍ବରୁ ମେ ୩ ତାରିଖରେ ରିଜିଜୁ ମେ ମାସ ଶେଷ ଆଡକୁ ସବୁ ଆଥ୍‌ଲେଟମାନଙ୍କ ପାଇଁ କ୍ୟାମ୍ପ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ। ପୁଣି ବକ୍ସିଂ ଓ ରେସଲିଂ ଭଳି କ୍ରୀଡ଼ାରେ ଟ୍ରେନିଂ ଆରମ୍ଭ ପାଇଁ ମନ୍ତ୍ରଣାଳୟ ରାସ୍ତା ଖୋଜୁଛି। ଏହି ଦୁଇଟି କ୍ରୀଡ଼ାରେ ପ୍ରତିଯୋଗୀମାନେ ପରସ୍ପର ସହିତ ସିଧାସଳଖ ଭାବେ ସଂଯୋଗକୁ ଆସିଥାନ୍ତି। ତେଣୁ ସମସ୍ତଙ୍କୁ ସକାରାତ୍ମକ ମନୋଭାବ ପୋଷଣ କରିବାକୁ ରିଜିଜୁ ପରାମର୍ଶ ଦେଇଛନ୍ତି।

Share