ଲକ୍‌ଡାଉନ୍‌ ଅବଧି ଶେଷ ହେବାକୁ ୭ ଦିନ ବାକି: ବିଜେପୁରକୁ ଫେରିବେ ୧୪୭୦ଜଣ, କ୍ୱାରାଣ୍ଟାଇନ୍‌ କଡ଼ାକଡ଼ି କରିବାକୁ ଦାବି

ବିଜେପୁର, ୨୬।୪(ଡି.ଏନ୍‌.ଏ.): କରୋନା ପ୍ରତିହତ ପାଇଁ କରାଯାଇଥିବା ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଖୋଲିବାକୁ ଆଉ ମାତ୍ର ସାତଦିନ ବାକି ରହିଛି। ଏହା ଖୋଲିବା ମାତ୍ରକେ ରାଜ୍ୟ ବାହାରେ ରହୁଥିବା ଲୋକଙ୍କ ଘରବାହୁଡା ହେବାର ସମ୍ଭାବନା ରହିଛି। ତେଣୁ ରାପିଡ୍‌ ରେସ୍‌ପନ୍ସ ଟିମ ମାଧ୍ୟମରେ ଉକ୍ତ ଘର ବାହୁଡା ଲୋକଙ୍କ ତାଲିକା ପ୍ରସ୍ତୁତ ହୋଇଯାଇଛି। ଏହିକ୍ରମରେ ବରଗଡ଼ ଜିଲା ବିଜେପୁର ବ୍ଲକରେ ୨୩ପଞ୍ଚାୟତ ଓ ବିଜେପୁର ଏନ୍‌ଏସିକୁ ମୋଟ ୧୪୭୦ଜଣ ଫେରିବେ ବୋଲି ଜଣାପଡିଛି। ଏଥିରେ ସ୍ଥାନୀୟ ଏନ୍‌ଏସିରେ ସର୍ବାଧିକ ୧୮୩ଜଣ ରହିଥିବାବେଳେ ବରମୁଣ୍ଡା ଓ ଲାଉମୁଣ୍ଡାରେ ଯଥାକ୍ରମେ ୧୨୦ ଓ ୧୦୧ଜଣ ଫେରିବେ। ସେହିପରି ସୁରୁବାଲି ପଞ୍ଚାୟତରେ ସର୍ବନିମ୍ନ ୬ଜଣ ଫେରିବେ। ତେଣୁ ପ୍ରଶାସନ ପକ୍ଷରୁ ଉକ୍ତ ଘରବାହୁଡାଙ୍କ ପାଇଁ ଅନଲାଇନ ମାଧ୍ୟମରେ ପଞ୍ଜୀକରଣ ଶୁକ୍ରବାରରୁ ଆରମ୍ଭ ହୋଇଛି। ସେମାନେ ଫେରିବା ପରେ ପଞ୍ଚାୟତ ପକ୍ଷରୁ କରାଯାଇଥିବା ଅସ୍ଥାୟୀ ଶିବିରରେ ୧୪ଦିନ ରହିବା ପରେ କୌଣସି ଲକ୍ଷଣ ଦେଖା ନ ଗଲେ ନିଜ ଘରକୁ ଫେରିବେ। ଉକ୍ତ ସ୍ଥାନରେ ପୁରୁଷ ଓ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଭାବେ ଚାରୋଟି ଶୌଚାଳୟ ର୍ନିମାଣ କରାଯାଇଛି। ତାଙ୍କର ଦୁଇ ଓଳି ଖାଇବାକୁ ବନ୍ଦୋବସ୍ତ କରାଯାଇଥିବାବେଳେ ଘରକୁ ଫେରିବାବେଳେ ସେମାନଙ୍କୁ ଦୁଇ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯିବ ବୋଲି ବିଜେପୁର ବିଡିଓ ପଦ୍ମନାଭ ସାମନ୍ତ ରାୟ ସୂଚନା ଦେଇଛନ୍ତି। ବାହାର ରାଜ୍ୟରୁ ଫେରୁଥିବା ଘରବାହୁଡା ଲୋକଙ୍କ କ୍ବାରାଣ୍ଟାଇନ୍‌ କଡାକଡି କରା ନ ଗଲେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି। ତେଣୁ ଏହାକୁ କଡାକଡି ଭାବେ ସରପଞ୍ଚଗଣ ପାଳନ କରି ଗ୍ରାମାଞ୍ଚଳକୁ ସୁରକ୍ଷିତ ରଖିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।