ଲକ୍‌ଡାଉନ୍‌ରେ ବେଆଇନ୍‌ ମଦ କାରଖାନା ଉପରେ ଚଢ଼ାଉ: ୪୭୪୦ ଲିଟର ମଦ, ୨୩ହଜାର ୮୦୦ ପୋଚ୍‌ ଜବତ; ମାଫିଆ ସମେତ ୧୫ ଗିରଫ

ବ୍ରହ୍ମପୁର ଅଫିସ,୨୨।୪ – କରୋନା ପାଇଁ ଜାରି ହୋଇଥିବା ଲକଡାଉନ୍‌ସମୟରେ ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ବୃଦ୍ଧି ପାଇଛି। ପୋଲିସ ପକ୍ଷରୁ ଟିମ୍‌ ଗଠନ କରାଯାଇ ପ୍ରତିଦିନ ଚଢଉ ଜାରି କରାଯାଉଛି। ସେହିଧାରାରେ ମଙ୍ଗଳବାର ରାତିରେ ଏକ ବେଆଇନ ମଦ କାରଖାନାରେ ଚଢାଉ କରି ବୈଦ୍ୟନାଥପୁର ପୋଲିସ ଅରବିନ୍ଦ ନଗର ୨ୟ ସାରଣୀର ମଦ ମାଫିଆ ଭାସ୍କର ସାହୁ (୬୧) ସମେତ ୧୫ଜଣଙ୍କୁ ଗିରଫ କରିଥିଲା। ବୁଧବାର ମାମଲା (ନଂ.୧୦୦/୨୦) ଅନୁସାରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ସାରଦା ପ୍ରସନ୍ନ ଦାସ କହିଛନ୍ତି। ଘଟଣାରୁ ପ୍ରକାଶ ମଙ୍ଗଳବାର ବୈଦ୍ୟନାଥପୁର ପୋଲିସ ପୁଣିଥରେ ନିଜ ଥାନା ଅନ୍ତର୍ଗତଲାଞ୍ଜିପଲ୍ଲୀ ଜଳେଶ୍ବର ନିକଟରେ ଥିବା ଏକ ଇଟା ଭାଟି ନିକଟରେ ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତ କାରଖାନାରେ ଚଢାଉ କରି ବଡ ଧରଣର ସଫଳତା ହାସଲ କରିଛି। ଘଟଣାସ୍ଥଳରୁ ପୋଲିସ ୪୭୪୦ ଦେଶୀ ମଦ ଓ ୨୩,୮୦୦କେଜି ପୋଚ ଜବତ କରିଛି। ମଦ ମାଫିଆ ଭାସ୍କର ସାହୁ (୬୧)ଙ୍କ ସମେତ ୧୫ ଜଣଙ୍କୁ କାବୁ କରିଥିଲା। ଏହାସହିତ ପୋଲିସ ଘଟଣା ସ୍ଥଳରୁ ମଦ ତିଆରି ପାଇଁ ବ୍ୟବହୃତ ହଣ୍ଡା ,ପ୍ଲାଷ୍ଟିକ ଡ୍ରମ , ଲେବଲ ଓ ୨ ଟି ମଦ ପାଉଚ ପ୍ୟାକିଂ ମେଶିନ ଜବତ କରିଥିବା କହିଛି ।