ଲକ୍‌ଡାଉନ୍‌ରେ ଘରୁ ବାହାରିବା କେତେ ବିପଦଜ୍ଜନକ: ଶର୍ଟ ଫିଲ୍ମ ଜରିଆରେ ଲୋକଙ୍କୁ ସୂଚିତ କଲେ ଭାଇଜାନ

ମୁମ୍ବାଇ: କରୋନା ଭାଇରସ୍‌କୁ ରୋକିବା ପାଇଁ ସରକାର ଯଥାସମ୍ଭବ ପ୍ରଚେଷ୍ଟା ଚଳାଇଛନ୍ତି। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ଘରୁ ନ ବାହାରିବାକୁ ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହା ସତ୍ତ୍ୱେ ମଧ୍ୟ କେତେକ ଲୋକ ଏହି ନିୟମକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ତେବେ ଲକ୍‌ଡାଉନ୍‌ ସମୟରେ ଘରୁ ବାହାରିବା ସମସ୍ତଙ୍କ ପାଇଁ କେତେ ବିପଦଜ୍ଜନକ ହୋଇପାରେ ସେନେଇ ବଲିଉଡ୍‌ ଭାଇଜାନ ସଲମାନ ଖାଁ ଏକ ଶର୍ଟ ଫିଲ୍ମ ଜରିଆରେ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି। କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ମହେଶ ମାଞ୍ଜରେକର ଓ ସଇ ମାଞ୍ଜରେକରଙ୍କ ତିଆରି କରିଥିବା ଏକ ଶର୍ଟ ଫିଲ୍ମକୁ ସଲମାନ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଫିଲ୍ମର ନାଁ ହେଉଛି ବାସ୍ତବ-୨। ଏହି ଶର୍ଟ ଫିଲ୍ମର ଅବଧି ପ୍ରାୟ ସାଢ଼େ ୫ ମିନିଟ୍‌ର ରହିଛି। ଲକ୍‌ଡାଉନ୍‌ ସମୟରେ ଘରୁ ବାହାରିଲେ ଲୋକଙ୍କ କିଭଳି କ୍ଷତି ହେଉଛି ତାହା ଏଥିରେ ଦର୍ଶାଯାଇଛି। ମହେଶ ନିଶା ସେବନ କରୁଥିବାରୁ ସେଗୁଡ଼ିକୁ ଆଣିବା ପାଇଁ ସେ ଘରୁ ବାହାରକୁ ଯିବା ଲାଗି ଚିନ୍ତା କରନ୍ତି। ତେବେ ସେ ଯାଉଥିବା ସମୟରେ ତାଙ୍କର ୩ ଝିଅ ତାଙ୍କୁ ଅଟକାଇଥାନ୍ତି। ହେଲେ ଝିଅମାନେ ମନା କରିବା ସତ୍ତ୍ୱେ ମଧ୍ୟ ମହେଶ ବାହାରକୁ ଯାଇଥାନ୍ତି। ଫଳରେ ପରବର୍ତ୍ତୀ ସମୟରେ କରୋନା ଭାଇରସ୍‌ ସଂକ୍ରମଣରେ ସଂକ୍ରମିତ ହୋଇ ତାଙ୍କର ମୃତ୍ୟୁ ହୋଇଯାଇଥାଏ। ଏହାପରେ ତାଙ୍କର ଆଉ ଜଣେ ଝିଅ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥାଏ। ତେବେ ଏହି ଫିଲ୍ମର କାହାଣୀ ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିଶା ସେବନ କରୁଥିବା ବ୍ୟକ୍ତିଙ୍କୁ ବାସ୍ତବିକ ଚିତ୍ର ଦେଖାଇବା। କାରଣ କେତେକ ଲୋକ କିଛି ସମୟର ଖୁସି ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ପଛଉ ନାହାନ୍ତି। ତେଣୁ ଏହି ଭିଡିଓ ଜରିଆରେ ସଲମାନ ସମସ୍ତଙ୍କୁ ନିବେଦନ କରିଛନ୍ତି ଯେ, ଲକ୍‌ଡାଉନ୍‌ ସମୟରେ କେହି ଘରୁ ବାହାରନ୍ତୁ ନାହିଁ। କାରଣ ଘରୁ ଗୋଡ଼ କାଢ଼ିଲେ ଆପଣ ନିଜ ସଙ୍ଗେ ନିଜ ପରିବାର ଲୋକଙ୍କୁ ମଧ୍ୟ ବିପଦରେ ପକାଇପାରନ୍ତି ବୋଲି ସଲମାନ କହିଛନ୍ତି।

Share