ଲକ୍‌ଡାଉନ୍‌ରୁ ଲାଭ

ଅନୁଗୋଳ ଅଫିସ, ୧୧।୪ – କରୋନା ବିପତ୍ତିରୁ ବର୍ତ୍ତିବା ପାଇଁ ଦେଶକୁ ଲକ୍‌ଡାଉନ୍‌ କରାଯାଇଥିଲେ ବି ଅନୁଗୋଳ ସହର ଉପକଣ୍ଠରେ ଘର ନିର୍ମାଣ କରୁଥିବା କେତେଜଣ ଲୋକ ଏଥିରୁ ଫାଇଦା ଉଠାଇବାକୁ ଉଦ୍ୟମ କରୁଛନ୍ତି। ସେମାନେ ସମସ୍ତ କଟକଣା ଉଲ୍ଲଂଘନ କରି ଜିଲାରେ ଅଟକିଥିବା ରାଜ୍ୟ ବାହାରର ଶ୍ରମିକଙ୍କୁ କମ୍‌ ମଜୁରିରେ ନିର୍ମାଣ କାର୍ଯ୍ୟରେ ଲଗାଉଥିବା ଅଭିଯୋଗ ହେଉଛି। ଏପରି କି ଶ୍ରମିକମାନଙ୍କୁ ଏକାଠି କରି ଗାଡ଼ିରେ ନିର୍ମାଣସ୍ଥଳକୁ ନିଆଯାଉଥିବା ଅନେକ ସମୟରେ ଦେଖିବାକୁ ମିଳୁଛି। କିନ୍ତୁ ଏପରି ଅମାନିଆ ଲୋକଙ୍କ ବିରୋଧରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।
ଢେଙ୍କାନାଳକୁ କରୋନା ଭାଇରସ୍‌ ଛୁଇଁସାରିଥିବାରୁ ଅନୁଗୋଳ ଜିଲାବାସୀ ଓ ପ୍ରଶାସନ ଅଧିକ ସତର୍କ ହୋଇଯାଇଛନ୍ତି। ଏପରି ସମୟରେ ସର୍ବାଧିକ ସାବଧାନତା ଅବଲମ୍ବନ ଅତ୍ୟନ୍ତ ଜରୁରୀ। ସାଧାରଣ ଲୋକେ ଏହା ବୁଝୁଥିବା ବେଳେ ଅନୁଗୋଳ ଉପକଣ୍ଠର ଅନେକ ସ୍ଥାନରେ ଘର ନିର୍ମାଣ କରୁଥିବା ଲୋକମାନଙ୍କ ମାନସିକତାରେ କିନ୍ତୁ ପରିବର୍ତ୍ତନ ଆସୁନାହିଁ। ସେମାନେ ନିର୍ମାଣ କାମ ବନ୍ଦ ରଖିବା ପରିବର୍ତ୍ତେ ପରିସ୍ଥିତିରୁ ଫାଇଦା ଉଠାଇ ଶୀଘ୍ର ଓ କମ୍‌ ଅର୍ଥରେ କାର୍ଯ୍ୟ ସମ୍ପନ୍ନ କରିବାକୁ ଚାହୁଁଛନ୍ତି। ତେଣୁ ଜିଲାରେ ଅଟକିଥିବା ବାହାର ରାଜ୍ୟର ଶ୍ରମିକମାନଙ୍କୁ ସେମାନେ ଟାର୍ଗେଟ୍‌ କରୁଛନ୍ତି। ଲକ୍‌ଡାଉନ୍‌ ଯୋଗୁ ରୋଜଗାର ନ ପାଇ ପେଟ ଚିନ୍ତାରେ ଥିବା ଏହି ଶ୍ରମିକମାନେ ମଧ୍ୟ କମ୍‌ ମଜୁରିରେ ରାଜି ହୋଇଯାଉଛନ୍ତି। ଶ୍ରମିକ ଠିକ୍‌ ହୋଇଯିବା ପରେ ବାହାର ଅଞ୍ଚଳର ରାଜମିସ୍ତ୍ରିମାନେ ସେମାନଙ୍କୁ ଟ୍ରାକ୍ଟର ଯୋଗେ ନିର୍ମାଣସ୍ଥାନକୁ ନେବାଆଣିବା କରୁଛନ୍ତି। ଏପରି ପରିବହନରେ ସାମାଜିକ ଦୂରତ୍ୱ ରକ୍ଷା ହୋଇପାରୁ ନ ଥିବାବେଳେ ଶ୍ରମିକମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ତଥାପି ମଜୁରି ଆଶାରେ ଶ୍ରମିକମାନେ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ପୋଲିସ ଓ ପ୍ରଶାସନ ମଧ୍ୟ ଆଖିବୁଜି ଦେଇଛି। କାରଣ ସହରର ପ୍ରତି ଛକରେ ପୋଲିସ ଜଗି ରହିଥିବା ବେଳେ ମାଳ ମାଳ ପାଟ୍ରୋଲିଂ ଭ୍ୟାନ୍‌ ସହରରେ ପଇଁତରା ମାରୁଛି। ହେଲେ ଏପରି ବେଆଇନ କାର୍ଯ୍ୟ ପ୍ରତି କେମିତି କାହାର ଦୃଷ୍ଟି ପଡ଼ୁନି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଲକ୍‌ଡାଉନ୍‌କୁ କଡ଼ାକଡ଼ି କରିବାକୁ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ଅଞ୍ଚଳରେ ବୁଲୁଛନ୍ତି। ଯଦି ଏଭଳି କୌଣସି ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ନଜରକୁ ଆସୁଛି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଲୋକମାନେ ଏ ନେଇ ସୂଚନା ଦେଲେ ପ୍ରଶାସନ କଟକଣା ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତା।