ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ‘ଶିକ୍ଷା ହିଁ ଓଡ଼ିଶାର ମୂଳ ପୁଞ୍ଜି’

ଭୁବନେଶ୍ୱର, ୧୭-୧୧(ବ୍ୟୁରୋ)

ଶିକ୍ଷା ହିଁ ଓଡ଼ିଶାର ମୂଳ ପୁଞ୍ଜି। ଯେତେବେଳେ ସମାଜ ନିଜ ଅଧିକାର ସହ ଦାୟିତ୍ୱ ପ୍ରତି ସଚେତନ ହୁଏ ସେତେବେଳେ ସମାଜ ଆଗକୁ ବଢ଼େ। ଆଜିର ସମାଜରେ ଆମେ ନିଜର ଅଧିକାର ପ୍ରତି ଯେତେ ସଚେତନ, ଦାୟିତ୍ୱ ପ୍ରତି ମଧ୍ୟ ସେତିକି ସଚେତନ ରହିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶନିବାର ଲକ୍ଷ୍ମୀସାଗର ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ କେନ୍ଦ୍ର ମନ୍ତ୍ରୀ ଉଦ୍‌ଘାଟନ କରି କହିଥିଲେ ଯେ, ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତି ହେବ। ତେଣୁ ଯେଉଁ ସମାଜ ଶିକ୍ଷାକୁ ଯେତେ ଗୁରୁତ୍ୱ ଦେବ, ତାହା ଏକବିଂଶ ଶତାବ୍ଦୀରେ ସେତେ ଅଧିକ ସଫଳତା ହାସଲ କରିବ ବୋଲି ସେ କହିଥିଲେ। ସେହିପରି ଏହି ସ୍କୁଲରେ ପାଠପଢ଼ି ଯାଇଥିବା ପୁରାତନ ଛାତ୍ର ସଂଘର ସଦସ୍ୟମାନେ ନିଜ ସ୍କୁଲର ଉନ୍ନତି ପାଇଁ କିଛି ଯୋଗଦାନ କରିବା ନେଇ ସେ ପରାମର୍ଶ ଦେଇଥିଲେ। ସେ କହିଛନ୍ତି ଯେ, ୨୦୧୩ରେ ରାଜ୍ୟ ସରକାର ଏହି ସ୍କୁଲର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ନେଇଥିଲେ। ଯେଉଁ ସ୍କୁଲର ଦାୟିତ୍ୱ ସରକାର ୨୦୧୩ ମସିହାରେ ନେଲେ, ସେହି ସ୍କୁଲର ଦାୟିତ୍ୱ ଲକ୍ଷ୍ମୀସାଗର ଅଞ୍ଚଳର କିଛି ଉଦ୍ୟୋକ୍ତାମାନେ ୧୯୬୯ ମସିହାରୁ ନେଇ ଆସୁଥିଲେ। ସାମାଜିକ ଦାୟିତ୍ୱବୋଧର ଏହା ଗୋଟିଏ ଉଦାହରଣ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ସ୍ତମ୍ଭ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ସଭା ସଦସ୍ୟ ପଦ୍ମଶ୍ରୀ ରଘୁନାଥ ମହାପାତ୍ର ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରେଣୁକା ମଲ୍ଲିକ, ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରସଂଘ ସଭାପତି ଯୋଗୀନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ଇଂ ଜ୍ଞାନେନ୍ଦ୍ର ନାୟକ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଗୀତିନାଟ୍ୟ ‘ଠାକୁରରାଜା’ ଭଳି ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବିଦ୍ୟାଳୟର ପୁରାତନ ଛାତ୍ରସଂଘ ପକ୍ଷରୁ ଆୟୋଜିତ ହୋଇଥିବା ଏହି ସମାରୋହରେ ହଜାର ହଜାର ପୁରାତନ ଛାତ୍ରୀଛାତ୍ର ଏକତ୍ର ହୋଇ କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନା କରିଥିଲେ। ସୁବର୍ଣ୍ଣ ଜୟନ୍ତୀ ସମାରୋହ ଦୁଇଦିନ ଚାଲିବ। ରବିବାର ଉଦ୍‌ଯାପନୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।