ଲକ୍ଷେ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ବ୍ୟାଙ୍କକ୍‌,୭ା୩: ନୋଭେଲ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ରୋଗୀସଂଖ୍ୟା ଶୁକ୍ରବାର ଲକ୍ଷେ ଟପିଛି। ଏହାକୁ ନେଇ ସାରା ବିଶ୍ୱରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓ୍ବାଲ୍‌ଷ୍ଟ୍ରିଟ୍‌ରେ କାରବାର ମାନ୍ଦା ହେବା ସହିତ ଏସିଆ ଓ ୟୁରୋପୀୟ ଶେୟାର ବଜାର ନିମ୍ନଗାମୀ ହୋଇଛି। ବିଭିନ୍ନ ଦେଶ ଭିଜା କଟକଣା ଲଗାଇବା ଫଳରେ ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଛି। ପର୍ଯ୍ୟଟନ ଓ ହୋଟେଲ ଶିଳ୍ପ ଉପରେ ଏହାର ଅଧିକ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି। ଆଫ୍ରିକା ଓ ମଧ୍ୟପ୍ରାଚ୍ୟକୁ ଏହି ଭୂତାଣୁ ସଂକ୍ରମିତ ହେଉଥିବାରୁ ବିପର୍ଯ୍ୟୟ ସୃଷ୍ଟି ହୋଇପାରେ ବୋଲି ଓ୍ବାଲର୍‌ଡ ଫୁଡ୍‌ ପ୍ରୋଗ୍ରାମ ପକ୍ଷରୁ ସତର୍କ କରିଦିଆଯାଇଛି।
ଏସିଆ ପରେ ଏବେ ପାଶ୍ଚାତ୍ୟ ଦେଶଗୁଡ଼ିକରେ ମଧ୍ୟ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି। ସଂକ୍ରମଣ ଭୟରେ ଅନେକ ଜାହାଜ ବନ୍ଦରରେ ପ୍ରବେଶ ଅନୁମତି ନ ପାଇଁ ବାହାରେ ଅପେକ୍ଷା କରିରହିଛନ୍ତି। ଚାଇନା ପରେ ଦକ୍ଷିଣ କୋରିଆ ଦ୍ୱିତୀୟ ସର୍ବାଧିକ ସଂକ୍ରମିତ। ତେବେ ଏହି ଦୁଇଦେଶରେ ସଂକ୍ରମଣ ହାର ପୂର୍ବାପେକ୍ଷା ହ୍ରାସ ପାଇଥିବା ଦେଖାଯାଇଛି। ୟୁରୋପୀୟ ରାଷ୍ଟ୍ର ମଧ୍ୟରେ ଇଟାଲୀରେ ସର୍ବାଧିକ ୧୪୮ ଜଣଙ୍କ ମୃତ୍ୟୁ ଘଟିଲାଣି। ଜର୍ମାନୀ ଓ ଫ୍ରାନ୍ସରେ ମଧ୍ୟ କରୋନା ସଂକ୍ରମଣ ଦ୍ରୁତବେଗରେ ବଢ଼ିଚାଲିଛି। ଇରାନରେ ସଂକ୍ରମିତଙ୍କ ସଂଖ୍ୟା ୪୭୪୭ ଟପିଥିବାବେଳେ ୧୨୪ ଜଣଙ୍କ ମୃତ୍ୟୁ ଘଟିଲାଣି। ଆମେରିକାରେ ମଧ୍ୟ କରୋନା ରୋଗୀସଂଖ୍ୟା ୨୩୦ ଟପିଲାଣି। ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି।

Share