ଲକ୍ଷାଧିକ ଟଙ୍କାର ଚୋରା ଶାଳ ଚୌକାଠ ସହ ପିକ୍‌ଅପ ଜବତ

ପାଟଣା,୧୧।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ସଦର ବ୍ଲକ ଡୁମୁରିଆରୁ ବୁଧବାର ବିଳମ୍ବିତ ରାତିରେ ଏକ ପିକଅପ୍‌ ଭ୍ୟାନ ଯୋଗେ ୧୩୧ ଖଣ୍ଡ ଚୋରା ଶାଳ ଚୌକାଠ ଚାଲାଣ ହେଉଥିବାବେଳେ ପାଟଣା ବନ କର୍ମଚାରୀ ଓ କେନ୍ଦୁଝର ମୋବାଇଲ ସ୍କ୍ବାଡ ମିଳିତ ଚଢ଼ାଉ କରି ଶାଳକାଠ ବୋଝେଇ ଗାଡ଼ିକୁ ପିପିଳିଆ ନିକଟରୁ ଜବତ କରିଛନ୍ତି। ତେବେ ଚୋରାକାଠ ଚାଲାଣରେ ସମ୍ପୃକ୍ତ ମାଫିଆମାନେ କୌଶଳ କ୍ରମେ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି। ସୂଚନା ଅନୁଯାୟୀ, ପାଟଣା ରେଞ୍ଜ କର୍ମଚାରୀ ଓ କେନ୍ଦୁଝର ମୋବାଇଲ ସ୍କ୍ବାଡ କୌଣସି ସୂତ୍ରରୁ ଖବର ପାଇ ସଦର ବ୍ଲକ ଡୁମୁରିଆରୁ ଚୋରା ଶାଳକାଠ ନେଇ ଯାଉଥିବା ଗାଡ଼ିର ପିଛା କରିଥିଲେ। ପୋଇପାଣି ଦେଇ ପିପିଳିଆ ଅଭିମୁଖେ ଯାଉଥିବା ଏହି କାଠ ବୋଝେଇ ଗାଡ଼ିର ପିଛା କରିବା ସମୟରେ ପାଟଣା ରେଞ୍ଜ ଅଫିସର ଓଆର-୦୨-ଏଜେ-୮୪୧୩ ନମ୍ବର ବିଶିଷ୍ଟ ଗାଡ଼ିକୁ କାଠ ବୋଝେଇ ଗାଡ଼ିଟି ବାରମ୍ବାର ସାଇଡ୍‌ ମାରି ଦୁର୍ଘଟଣା ଘଟାଇବାକୁ ଉଦ୍ୟମ କରିଥିଲେ ହେଁ ବନ ବିଭାଗ ପିପିଳିଆ ନିକଟ ୨୦ ନମ୍ବର ଜାତୀୟ ରାଜପଥରୁ କାଠ ବୋଝେଇ ଗାଡ଼ି ଜବତ କରିବାରେ ସଫଳ ହୋଇଥିଲେ। ଏହି ଚଢ଼ାଉରେ ପାଟଣା ବନାଞ୍ଚଳ ଅଧିକାରୀ ପବିତ୍ର ମୋହନ ନାଏକ, ବନପାଳ ସନ୍ତୋଷ କୁମାର ପୋହି, କେନ୍ଦୁଝର ମୋବାଇଲ ସ୍କ୍ବାଡ ଓ ପାଟଣା ପାରା ସ୍କ୍ବାଡ ସାମିଲ ହୋଇଥିଲେ। ରେଞ୍ଜର ପବିତ୍ରମୋହନଙ୍କ ସୂଚନା ମୁତାବକ ଜବତ ହୋଇଥିବା ଶାଳ ଚୌକାଠର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉଦ୍ଧର୍‌ବ ହେବ। ଏଥିନେଇ ପାଟଣା ରେଞ୍ଜରେ ୪/୧୯ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।