Categories: ଜାତୀୟ

ଲକ୍‌ଡାଉନରେ ଶ୍ରମିକଙ୍କୁ ସାହାଯ୍ୟ କରିଥିବା ଛତୁଚାଷୀ ପପ୍ପନ ସିଂଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୪।୮ :କୋଭିଡ୍‌ ଲକ୍‌ଡାଉନ ବେଳେ ପ୍ରବାସୀ ଶ୍ରମିକମାନଙ୍କୁ ବିମାନରେ ସେମାନଙ୍କ ଘରକୁ ପଠାଇ ଚର୍ଚ୍ଚିତ ହୋଇଥିବା ନୂଆଦିଲ୍ଲୀର ଜଣାଶୁଣା ଛତୁଚାଷୀ ପପ୍ପନ ସିଂ ଗେହଲଟ ଆତ୍ମହତ୍ୟା କରିଛନ୍ତି। ଦିଲ୍ଲୀର ଆଲିପୋର ଅଞ୍ଚଳରେ ନିଜ ଘର ସମ୍ମୁଖରେ ଥିବା ମନ୍ଦିର ସିଲିଂରୁ ତାଙ୍କର ଝୁଲନ୍ତା ମୃତଦେହ ବୁଧବାର ମିଳିଛି। ସେଠାରୁ ପୋଲିସ ଏକ ସୁଇସାଇଡ୍‌ ନୋଟ ଜବତ କରିଛି। ତାଙ୍କ ଆତ୍ମହତ୍ୟା ପାଇଁ ଅସୁସ୍ଥତା ଦାୟୀ ବୋଲି ସେଥିରେ ଉଲ୍ଲେଖ ରହିଛି। ୨୦୨୦ ମାର୍ଚ୍ଚରୁ ଦେଶରେ ଲକ୍‌ଡାଉନ ଘୋଷଣା ହେବା ପରେ ହଜାର ହଜାର ପ୍ରବାସୀ ଶ୍ରମିକ ଘରକୁ ଫେରିବା ଲାଗି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେହି ସମୟରେ ପପ୍ପନ ତାଙ୍କ କ୍ଷେତରେ କାମ କରୁଥିବା ଶ୍ରମିକମାନଙ୍କୁ ସେମାନଙ୍କ ବାସସ୍ଥାନ ବିହାର ପଠାଇବା ଲାଗି ବିମାନ ଟିକେଟ କିଣିଦେଇଥିଲେ। କୋଭିଡ୍‌ ସ୍ଥିତିରେ ସୁଧାର ଆସିବା ପରେ ସେ ପୁଣିଥରେ ବିମାନ ଯୋଗେ ଶ୍ରମିକମାନଙ୍କୁ ଫେରାଇ ଆଣିଥିଲେ। ଏହି ଘଟଣା ସେତେବେଳେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା।

Share