ଲକଡାଉନ୍ ଥାଇ ଗହଳି ବଢ଼ୁଛି

ନୟାଗଡ ଅଫିସ,୪ା୪: ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ସରକାର ଭୁବନେଶ୍ୱର, କଟକ, ଭଦ୍ରକ ସହର ସମେତ ଯାଜପୁର ଜିଲାର କେତେକ ଅଞ୍ଚଳକୁ ଶଟଡାଉନ୍ କରିଛନ୍ତି। ତେବେ ଏହାର ପ୍ରଭାବ ନୟାଗଡ ଜିଲାରେ ପଡୁନି। ନୟାଗଡ ଜିଲା ଲକଡାଉନ୍ ଥିଲେ ମଧ୍ୟ ରାସ୍ତାରେ ଯାନବାହାନ ଚଳାଚଳ କରୁଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନୟାଗଡରେ ପରିବା ମାର୍କେଟ ଚାଲୁ ରହିବା ସହ ସହରର ପ୍ରତି ସ୍ଥାନରେ ସାମାଜିକ ଦୂରତ୍ୱ ନ ମାନି ଲୋକେ ବୁଲୁଛନ୍ତି, ଗପସପ କରୁଛନ୍ତି । ପରିବା ମାର୍କେଟରେ ସଚେତନତା ସତ୍ତ୍ୱେ ସମାଜିକ ଦୂରତ୍ୱ ରକ୍ଷା ହେଉନି। ସହରର ଅନ୍ୟ ଦୋକାନରେ ସାମଗ୍ରୀ କିଣିବାବେଳେ ସାମାଜିକ ଦୂରତ୍ୱ ରକ୍ଷା କରାଯାଉନାହିଁ। ଶନିବାର ନୟାଗଡ ଏସପି କେତେକ ବ୍ୟବସାୟ ପ୍ରତିଷ୍ଠାନ ପରିଦର୍ଶନ କରି ସାମଜିକ ଦୂରତ୍ୱ ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ହେଲେ ଏସପିଙ୍କ ଯିବା ପରେ ପୁଣି ଦୋକାନରେ ଗହଳି ହୋଇଯାଉଛି ।