ଲକଡାଉନବେଳେ ଉଦାହରଣ ସୃଷ୍ଟି କଲେ ପୁଅ: ୩ ଜଣରେ ସାରିଲେ ବାପାଙ୍କ ଦଶାହ କର୍ମ

ବନ୍ତଳା, ୨୯ା୩(ଡି.ଏନ.ଏ.)- କରୋନା ସଂକ୍ରମଣ ରୋକିବାକୁ ସରକାର ଲକଡାଉନ ଜାରି କରିଛନ୍ତି । ଲୋକେ ଯେପରି କୌଣସି ସ୍ଥାନରେ ଏକାଠି ନ ହେବେ ଏବଂ ପଦାକୁ ନ ବାହାରିବେ ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅନେକ ସ୍ଥାନରେ ଲୋକେ ଏହି ନିୟମ ଉଲ୍ଲଂଘନ କରି ବାହାରକୁ ଆସୁଥିବାରୁ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି। ଏପରି ସମୟରେ ବାପାଙ୍କ ଦେହାନ୍ତ ହୋଇଯାଇଥିଲେ ମଧ୍ୟ ବନ୍ଧୁବର୍ଗ, ପଡୋଶୀ କିମ୍ବା ସ୍ଥାନୀୟ ଲୋକଙ୍କୁ ସାମିଲ ନ କରି କେବଳ ପରିବାରର ୩ ଜଣଙ୍କୁ ନେଇ ଦଶାହ କର୍ମ ସାରିଛନ୍ତି ଅନୁଗୋଳ ଜିଲା ହାତୀଶାଳପଡା ପୋକତୁଙ୍ଗା ଗ୍ରାମର ରୁଦ୍ର ନାରାୟଣ ପ୍ରଧାନ ଓ ସୁରେନ୍ଦ୍ର ପ୍ରଧାନ। ଏଥିସହ ଦେଶବାସୀଙ୍କ ସୁରକ୍ଷା ପାଇଁ ସରକାର କରିଥିବା ନିୟମ ମାନିବାକୁ ସେମାନେ ଲୋକଙ୍କୁ ଅନୁରୋଧ କରିଛନ୍ତି । ଏପରି କରି ସେମାନେ ଅଞ୍ଚଳବାସୀଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି।
ପ୍ରକାଶ ଯେ, ଗତ ୨୦ ତାରିଖରେ ପୋକତୁଙ୍ଗା ଗ୍ରାମର ସପ୍ନେଶ୍ୱର ପ୍ରଧାନ(୫୦)ଙ୍କ ହୃଦଘାତରେ ମୃତ୍ୟୁ ଘଟିଥିଲା। ତାଙ୍କ ଅନ୍ତିମ ସଂସ୍କାରରେ ପରିବାର ଲୋକଙ୍କ ସହ ବନ୍ଧୁ ପରିଜନ, ସମ୍ପର୍କୀୟ ପଡୋଶୀ ଆଦି ବହୁ ସଂଖ୍ୟାରେ ସାମିଲ ହୋଇଥିଲେ। ୨୯ ତାରିଖରେ ଦଶାହ କର୍ମ ପାଇଁ ପରିବାର ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ହେଲେ ଏହା ମଧ୍ୟରେ କରୋନା ଭାଇରସଜନିତ ସଂକ୍ରମଣ ରୋକିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକଡାଉନ ଜାରି କରିଦିଆଯାଇଛି। ଫଳରେ ସପ୍ନେଶ୍ୱରଙ୍କ ପରିବାର ଲୋକେ ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଥିଲେ। ଦୁଇପୁଅ ରୁଦ୍ର ନାରାୟଣ, ସୁରେନ୍ଦ୍ର ଏବଂ ମୃତକଙ୍କ ସାନ ଭାଇ ସଲିଳ ପ୍ରଧାନ ଦଶାହ କର୍ମରେ କୌଣସି ବନ୍ଧୁଙ୍କୁ ଏକାଠି ନ କରି କେବଳ ସେମାନେ ହିଁ କାର୍ଯ୍ୟକ୍ରମ ସାରିବାକୁ ନିଷ୍ପତ୍ତି ନେଇଥିଲେ। କୁଳ ପୁରୋହିତ ରଞ୍ଜନ କୁମାର କରଙ୍କ ସମେତ ଦୁଇ ପୁଅ ଏବଂ ମୃତକଙ୍କ ଭାଇ ଦଶାହ କର୍ମରେ ସାମିଲ ହୋଇଥିଲେ।
ସପନେଶ୍ୱରଙ୍କ ସାନ ପୁଅ ସୁରେନ୍ଦ୍ର କହିଛନ୍ତି, ବାପାଙ୍କ ଦେହାନ୍ତ ହୋଇଥିଲେ ହେଁ ଅନ୍ୟମାନଙ୍କ ସ୍ବାସ୍ଥ୍ୟ ରକ୍ଷା ମଧ୍ୟ ଆମ କର୍ତ୍ତବ୍ୟ। ସରକାର ଆମ ସୁରକ୍ଷା ପାଇଁ ନିୟମ କରିଛନ୍ତି । ଏପରି ସ୍ଥିତିରେ ନିୟମ ନ ମାନିଲେ ଆଗକୁ କଠିନ ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ କଷ୍ଟ ହେଲେ ବି ଆମେ ବାପାଙ୍କ ଦଶାହ କର୍ମରେ ବନ୍ଧୁ ପରିଜନଙ୍କୁ ଏକାଠି କରିନାହୁଁ।