ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଗାଜର ଜୁସ୍‌

ନିୟମିତ ରୂପେ ଗାଜର ଜୁସ୍‌ ସେବନ କଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଗାଜରରେ ଭରପୂର୍‌ ମାତ୍ରାରେ କ୍ୟାଲ୍‌ସିୟମ୍‌, ଫାଇବର୍‌, ଭିଟାମିନ୍‌ ଏ, ବି, ଓ ସି ମହଜୁଦ୍‌ ରହିଛି, ଯାହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ କୋଲେଷ୍ଟୋରଲ୍‌ ସ୍ତରକୁ ନିୟନ୍ତ୍ରଣରେ ରଖେ। କାମ କରିବା ପରେ ଅଧିକ ଥକ୍କା ଲାଗୁଥିଲେ, ସକାଳୁ ଖାଲିପେଟରେ ଅଧ ଗ୍ଲାସ୍‌ ଗାଜର ଜୁସ୍‌ରେ ପାଳଙ୍ଗ ରସ, ଭଜା ଜିରା ଏବଂ କଳା ଲୁଣ ମିଶାଇ ସେବନ କଲେ ସତେଜ ଲାଗିଥାଏ। ସାରାଦିନ ଶରୀରକୁ ଶକ୍ତି ମିଳିଥାଏ। ଏହାଛଡ଼ା ଯଦି ନିୟମିତ ରୂପେ ଗାଜର ଜୁସ୍‌ ସେବନ କରାଯାଏ, ତେବେ ଶରୀର ଭିତରୁ ଉଷୁମ୍‌ ରହିଥାଏ। ଏମିତିକି କୋହଲା ପବନ ଯୋଗୁ ଆପଣଙ୍କୁ ଥଣ୍ଡା କି କାଶ ହେବାର ସମ୍ଭାବନା ନଥାଏ। ଗାଜର ରସରେ କିଛି କଳା ଲୁଣ ପକାଇ ପିଇଲେ ଥଣ୍ଡା, କାଶ, ଜ୍ୱର ଓ କଫ ସମସ୍ୟା ଠିକ୍‌ ହୋଇଯାଏ। କେବଳ ସେତିକି ନୁହେଁ, ପେଟ ପାଇଁ ଗାଜର ବେଶ୍‌ ଉପକାରୀ। ପେଟ ସମ୍ବନ୍ଧୀୟ କୌଣସି ସମସ୍ୟା ଥିଲେ, ନିୟମିତ ଗାଜର ଜୁସ୍‌ରେ ଲେମ୍ବୁ ରସ ଓ ପାଳଙ୍ଗ ରସ ମିଶାଇ ପିଇବା ଉଚିତ୍‌।