ରୋଗଣା ମା’ଙ୍କୁ ଜାଳିଦେବା ଘଟଣା : ଅଭିଯୁକ୍ତ ପୁଅ କୋର୍ଟ ଚାଲାଣ

ବଲାଙ୍ଗୀର ଅଫିସ/ ପାଟଣାଗଡ/ ବେଲପଡା, ୮।୭ (ଡି.ଏନ୍‌.ଏ.) : ବଲାଙ୍ଗୀର ଜିଲା ବେଲପଡା ଥାନା ଅନ୍ତର୍ଗତ ରାଡବାହାଲ ଗାଁରେ ଶଯ୍ୟାଶାୟୀ ବୃଦ୍ଧା ମା’ଙ୍କ ଦେହରେ କିରୋସିନ ଢାଳି ଜିଅନ୍ତା ପୋଡିଦେବା ଘଟଣାରେ ପୋଲିସ ଅଭିଯୁକ୍ତ ପୁଅ ସନ୍ତୋଷ ଖର୍ସେଲ (୪୨)ଙ୍କୁ ରବିବାର ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ପାରିବାରିକ ବିବାଦକୁ କେନ୍ଦ୍ରକରି ଶନିବାର ଭୋର ୫ଟାରେ ସନ୍ତୋଷ ତାଙ୍କ ବାପା ରୁଷି ଖର୍ସେଲ (୮୦)ଙ୍କୁ ମାଡ ମାରିଥିଲେ।  ବାପାଙ୍କୁ ମାଡ ମାରିବା ଦେଖି ଶଯ୍ୟାଶାୟୀ ରୋଗଣା ମା’ ଆଶାମତୀ (୭୫) ଏପରି ନ କରିବାକୁ ପୁଅକୁ ବାରଣ କରିଥିଲେ। ଏହାପରେ ବାପା ଋଷି ବିବାଦର ସମାଧାନ ପାଇଁ ଗାଁର ଭଦ୍ର ବ୍ୟକ୍ତିଙ୍କୁ ଡାକିବାକୁ ଯାଇଥିଲେ। ଏତିକି ବେଳେ ଉନ୍ମତ୍ତ ସନ୍ତୋଷ ଶଯ୍ୟାଶାୟୀ ରୋଗଣା ମା’ଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ନିଆଁରେ ଜିଅନ୍ତା ଜଳି ଯାଇଥିଲେ ଆଶାମତୀ। ଗ୍ରାମର କେତେକ ଲୋକ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ହେଲେ ସେତେବେଳକୁ ଆଶାମତୀଙ୍କ ମୃତ୍ୟୁ ଘଟି ସାରିଥିଲା। ଏଭଳି କାଣ୍ଡ ଭିଆଇବା ପରେ ଅଭିଯୁକ୍ତ ସନ୍ତୋଷ ଫେରାର ହୋଇ ଯାଇଥିଲେ। ପରେ ପୋଲିସ ତାଙ୍କୁ ଧରି ପଚରାଉଚରା କରିଥିଲା।