ରେଳ ଷ୍ଟେଶନରେ ‘ରେଲ ନିର’ ବାଧ୍ୟତାମୂଳକ: ଭୁବନେଶ୍ୱରରେ ହେବ ପ୍ଲାଣ୍ଟ, ୨୦୨୦ ସୁଦ୍ଧା ଖୋଲିବ ଆହୁରି ୬ ପ୍ଲାଣ୍ଟ

ଭୁବନେଶ୍ୱର,୧ା୯(ବ୍ୟୁରୋ): ଭାରତୀୟ ରେଳପଥର ନିଜସ୍ବ ବୋତଲ ପିଇବା ପାଣି ‘ରେଲ ନିର’ ସମସ୍ତ ରେଳ ଷ୍ଟେଶନରେ ବାଧ୍ୟତାମୂଳକ କରାଯାଇଛି। ଟ୍ରେନରେ ଓ ଷ୍ଟେଶନରେ ପିଇବା ପାଣିର ଆବଶ୍ୟକତା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଆହୁରି ଅଧିକ ରେଲ ନିର ପ୍ଲାଣ୍ଟ ତିଆରି କରାଯିବ। ଏ ନେଇ ଆଇଆରସିଟିସି ଦ୍ରୁତଗତିରେ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଚାହିଦାର ୫୦ପ୍ରତିଶତ ଆଇଆର୍‌ସିଟିସି ରେଲ ନିର ଯୋଗାଉଛି। ଆଗକୁ ବିଜୟଓ୍ବାଡା, ବିଶାଖାପାଟଣା ଓ ଭୁବନେଶ୍ୱରରେ ‘ରେଲ ନିର’ ପ୍ଲାଣ୍ଟ ତିଆରି କରାଯିବ ବୋଲି ଆଇଆରସିଟିସି ପକ୍ଷରୁ ସୂଚନା ମିଳିଛି। ବିଶାଖାପାଟଣାରେ ନିର୍ମାଣ ହେବାକୁ ଥିବା ପ୍ଲାଣ୍ଟ ପାଇଁ ଏନଟିପିସି(ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ) ସହ ସହଭାଗିତା ପାଇଁ ଚୁକ୍ତି କରିଛି। ଯେଉଁଠି ବ୍ୟବହୃତ ପାଣିକୁ ଟେଷ୍ଟ କରାଯାଇ ପୁନଃବ୍ୟବହାର ଯୋଗ୍ୟ କରାଯିବ। ବର୍ତ୍ତମାନ ନିର୍ମାଣ ଚାଲୁଥିବା ୬ଟି ପ୍ଲାଣ୍ଟ ନାଗପୁର, ସଂକ୍ରାଲି(ହାଓ୍ବଡା), ଜାଗିରୋଡ(ଗୁଆହାଟି), ଭୁଶାଓ୍ବଲ, ଜବଲପୁର ଓ ଉନ୍ନାଓରେ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା କାମ ସରିଯିବ। ଏହି ୬ଟି ପ୍ଳାଣ୍ଟରୁ ଉତ୍ପାଦନ ଆରମ୍ଭ ହେଲେ ରେଳପଥରେ ଆବଶ୍ୟକ ହେଉଥିବା ବୋତଲ ପିଇବା ପାଣିର ୭୫ରୁ ୮୦ ପ୍ରତିଶତ ପୂରଣ ହୋଇପାରିବ ବୋଲି ଆଇଆରସିଟିସି କହିଛି। ବର୍ତ୍ତମାନ ପ୍ଲାଣ୍ଟ ଖୋଲିବା ଲାଗି ଆଇଆରସିଟିସି ଜମି ସହ ୧୦ କୋଟି ଟଙ୍କା ପୁଞ୍ଜି, ସର୍ବନିମ୍ନ ଉତ୍ପାଦନ ଗ୍ୟାରେଣ୍ଟି ଦେଉଛି। ସୂଚନାଯୋଗ୍ୟ, ୨୦୦୩ରେ ‘ରେଲ ନିର’ ଦିଲ୍ଲୀର ନଙ୍ଗଲୋଇଠାରେ ପ୍ରଥମ ପ୍ଲାଣ୍ଟ ଖୋଲିଥିଲା। ଏହିଭଳି ଆଉ ୧୦ଟି ପ୍ଲାଣ୍ଟ ଖୋଲାଯାଇଛି। ଯେଉଁଠାରୁ ଦୈନିକ ଏକ ଲକ୍ଷ ବୋତଲ ଉତ୍ପାଦନ ହେଉଛି।