ରେଳ ବଜେଟରେ ମୟୂରଭଞ୍ଜକୁ ଅବହେଳା ନେଇ ବିକ୍ଷୋଭ

ବାରିପଦା ଅଫିସ, ୭ା୨- ରେଳବଜେଟରେ ଓଡ଼ିଶାର ବିଭିନ୍ନ ରେଳପ୍ରକଳ୍ପ ଲାଗି ୪୩୭୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଓଡ଼ିଶାର ଅନ୍ୟାନ୍ୟ ରେଳ ପ୍ରକଳ୍ପ ଲାଗି ଟଙ୍କା ମଞ୍ଜୁର ହୋଇଥିବା ବେଳେ ମୟୂରଭଞ୍ଜ ଜିଲାରେ ରେଳପଥର ଉନ୍ନତିକରଣ ପାଇଁ ସେଭଳି ଆଖିଦୃଶିିଆ ଟଙ୍କା ମଞ୍ଜୁର ହୋଇନାହିଁ । ଜିଲାବାସୀ ବିଭିନ୍ନ ନୂତନ ପ୍ରକଳ୍ପ ପାଇଁ ଦାବି କରି ଆସୁଥିଲେ ମଧ୍ୟ ରୂପସା – ବାଙ୍ଗିରିପୋଷି ବିଦ୍ୟୁତିକରଣ ପାଇଁ ମାତ୍ର ୨୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଯାହାକୁ ନେଇ ଜିଲାବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତିି। ଅଣରାଜନୈତିକ ସଂଗଠନ ଭଞ୍ଜସେନା ମଧ୍ୟ ଏହାକୁ ଘୋର ବିରୋଧ କରିଛି। ଭଞ୍ଜସେନା ପକ୍ଷରୁ ଦର୍ଶାଯାଇଛି ଯେ, ମୟୂରଭଞ୍ଜ ଜିଲାର ଉନ୍ନତି ପାଇଁ ବାଙ୍ଗିରିପୋଷି- ଗୋରୁମହିଷାଣୀ ନୂତନ ରେଳପଥର ସଂଯୋଗ, ବୁଢାମରା-ଚାକୁଳିଆ ନୂତନ ରେଳପଥର ସଂଯୋଗ, ବାଦାମପାହାଡ଼-କେନ୍ଦୁଝର ନୂତନ ରେଳପଥର ସଂଯୋଗ, ବାଙ୍ଗିରିପୋଷି-ଭୁବନେଶ୍ୱର ସୁଫରଫାଷ୍ଟ ଏକ୍ସପ୍ରେସ୍‌କୁ ପୁରୀ ସମ୍ପସ୍ରାରଣ କରିବା ଲାଗି ବିଭିନ୍ନ ସମୟରେ ଦାବି ହୋଇ ଆସୁଛି। ହେଲେ ଏହିସବୁ ଗୁରୁତ୍ୱପୂର୍ଣ୍ଣ ଦାବିକୁ ଅଣଦେଖା କରି କେନ୍ଦ୍ର ସରକାର ଚଳିତ ରେଳବଜେଟରେ ଯେଉଁଭଳି ଭାବେ ମୟୂରଭଞ୍ଜ ଜିଲାକୁ ଉପେକ୍ଷା କଲେ ତାହା ନିନ୍ଦନୀୟ। ଏହାର ପ୍ରତିବାଦରେ ଭଞ୍ଜସେନା ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଳମନ୍ତ୍ରୀ ପିୟୂଷ ଗୋଏଲ, ମୟୂରଭଞ୍ଜ ଏମ୍‌ପି ଇଂ. ବିଶେଶ୍ୱର ଟୁଡ଼ୁଙ୍କ କୁଶ ପୃତ୍ତଳିକା ଦାହ କରିଥିଲେ। ଆଗାମୀ ଦିନରେ ଏହି ଜିଲା ପାଇଁ ନୂତନ ରେଳ ସଂଯୋଗୀକରଣ ଏବଂ ଉନ୍ନତୀକରଣ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବା ପାଇଁ ସେନା ଦାବି କରିଛି। ଯଦି ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରା ନ ଯାଏ ତାହା ହେଲେ ଜିଲାବାସୀଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ଭଞ୍ଜସେନା ଆନ୍ଦୋଳନତ୍ମାକ ପନ୍ଥା ଆପଣାଇବ ବୋଲି ସୂଚନା ଦେଇଛି। ଭଞ୍ଜ ସେନାର ଜିଲା ସଭାପତି ପିଣ୍ଟୁ ମାଇତିଙ୍କ ସମେତ ଯୁବଛାତ୍ର ସଂଯୋଜକ ରାକେଶ ବେହେରା, ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ୍‌, ଉପସଭାପତି ପ୍ରଶାନ୍ତ ମହାକୁଡ, ରାକେଶ ମହାନ୍ତି, ପଙ୍କଜ କରଣ, ସାଫଲ୍ୟ ମିଶ୍ର, ଦୀପକ ସାହୁ, ଅମରେଶ ସିଂ, ମୁକ୍ତିଦତ୍ତ ପରିଡ଼ା, ମନୋରଞ୍ଜନ ସାହୁ, ବିଜୁ ବେହେରା, ଲିପନ୍‌ ପାତ୍ର, ସାନୁ ପାତ୍ର, ବନୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ।