ରେଲଓ୍ବେ ଚାକିରି ଦେବାକୁ କହି ଦେଢ଼ଲକ୍ଷ ଠକେଇ, ଯୁବକ ଗିରଫ

ପାତ୍ରପଡା,୧୯ା୧୦(ଡି.ଏନ.ଏ.): ରେଲଓ୍ବେରେ ଚାକିରି କରାଇ ଦେବା ଆଳରେ ଦେଢଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଝାଡଖଣ୍ଡ ରାଞ୍ଚି ଅଞ୍ଚଳର ଆଶିଷ ସିଂ(୨୮)।
ଅଭିଯୋଗ ଅନୁଯାୟୀ, ଜଗତ୍‌ସିଂହପୁର ନୂଆଗଁ। ଅଞ୍ଚଳର ଅଜୟ କୁମାର ମୁଦୁଲି ଖଣ୍ଡଗିରି ବାରି ଅଞ୍ଚଳରେ ରହୁଥିବା ବେଳେ ଆଶିଷଙ୍କ ସହ ସମ୍ପର୍କ ସ୍ଥାପନ ହୋଇଥିଲା। ଅଜୟଙ୍କୁ ଇଷ୍ଟର୍ନ ରେଲଓ୍ବେରେ ଗ୍ରୁପ ସିରେ ଚାକିରି କରାଇ ଦେବେ ବୋଲି ଆଶିଷ କହିଥିଲେ। ଏଥିପାଇଁ ତାଙ୍କୁ ଦେଢଲକ୍ଷ ଟଙ୍କା ଦେବାକୁ ପଡିବ। ସର୍ତ୍ତ ଅନୁଯାୟୀ ଅଜୟ ଦେଢଲକ୍ଷ ଟଙ୍କା ଆଶିଷଙ୍କୁ ଦେଇଥିଲେ। ଏହାର କିଛିଦିନ ପରେ ଅଜୟଙ୍କୁ ଏକ ନକଲି ଆପଏଣ୍ଟମେଣ୍ଟ ଲେଟର ଦେଇଥିଲେ। ଅଜୟ ଏହା ଜାଣିବା ପରେ ତାଙ୍କ ଟଙ୍କା ଫେରି ପାଇବାକୁ ଆଶିଷଙ୍କ ସହ ଯୋଗାଯୋଗ କରିଥିଲେ। ଆଶିଷ ବିଭିନ୍ନ ଆଳ ଦେଖାଇ ସମୟ ଗଡାଇ ଚାଲିଥିଲେ। ଠକାମୀର ଶିକାର ହୋଇଥିବା ଜାଣିପାରି ୧୫ ତାରିଖରେ ଏ ନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ନଂ. ୫୭୭/୧୯ରେ ମାମଲା ରୁଜୁ କରି ଆଶିଷଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।